କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାକୁ ମିଶାଇ ଏଯାଏ ୬ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ସେଥିରୁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ହୋଇଛି । ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଆଇସିୟୁ ସର୍ଜରିରେ ଭଗବାନ ପରିଜା, ଶୁକ୍ରା ମାଝୀ ଓ ରୁକୁନି ପେଣ୍ଟିଆଙ୍କ ମୃତ୍ୟୁ ହୋଇଛି । ସେହିପରି ୱାର୍ଡରେ ଥିବା ବତି ଖରା ଓ ଫୁଲମତି ମାଝୀଙ୍କର ଜୀବନ ଯାଇଛି । ୱାର୍ଡରେ ଥିବା ଦୁଇ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ଜଣାପଡ଼ିନାହିଁ । ଆଇସିୟୁ ସର୍ଜରିରେ ମୃତ୍ୟୁ ହୋଇଥିବା ୩ ରୋଗୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଆଜି ବ୍ୟବଚ୍ଛେଦ ହେଲେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଅନ୍ୟପଟେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି ।

ତେବେ ୫ ରୋଗୀଙ୍କ କିଭଳି ମୃତ୍ୟୁ ହେଲା, ସେନେଇ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତ୍ରିକ୍ରିୟା ମିଳିପାରି ନାହିଁ । ଲଗାତାର ୬ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ମନରେ ବି ଛନକା ପଶିଛି ।
