ବିଦ୍ୟୁତ ନାହିଁ: ସ୍ବାସ୍ଥ୍ୟକେନ୍ଦ୍ରରେ ପିଇବା ପାଣି ଅଭାବ, ରୋଗୀ ହଇରାଣ

ଦାରିଙ୍ଗବାଡି :କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଳମ୍ବିତ ରାତି ଠାରୁ ବିଦ୍ୟୁତ ଅଚଳ ହୋଇପଡିଛି। ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ଭୋଗୁଛନ୍ତି। ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ଅନ୍ଧାରରେ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ଟାଙ୍କିରେ ପାଣି ସରିଯାଇଥିବାରୁ ସଫେଉ କାର୍ଯ୍ୟ ହୋଇପାରିନି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଦୁର୍ଗନ୍ଧରେ ନାକ ଫାଟୁଛି। ଶୌଚାଳୟରେ ପାଣି ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ରହିଥିବା ଜେନେନେଟର ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଅଚଳ ହୋଇପଡିଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଜଣାଇବା ସହ ବ୍ଲକ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସମେତ ସମସ୍ତଙ୍କୁ ଲିଖିତ ଜଣାଇଥିଲେ। ଏହାସତ୍ତ୍ୱେ ନା ଜେନେନେଟର ମରାମତି କରାଯାଇଛି ନା ନୂଆ ସ୍ଥାପନ କରାଯାଉଛି। ଜେନେନେଟର ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ସୁନ୍ଦର ଭାବେ ଗୃହ ନିର୍ମାଣ କରାଯାଇଛି। କିନ୍ତୁ ଜେନେନେଟର ରୋଗୀଙ୍କ କାର୍ଯ୍ୟରେ ଆସୁ ନ ଥିବା ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଖବର ଲେଖିବା ସୁଦ୍ଧା ସ୍ବାସ୍ଥ୍ୟକେନ୍ଦ୍ର ପରିସର ସଫେଇ କାର୍ଯ୍ୟ ହୋଇପାରିନାହିଁ।

Leave A Reply

Your email address will not be published.