ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ ହୋଇଥିବା ସୂଚନା ମିଳିଛି । ଏୟାରଇଣ୍ଡିଆର AI- 171 ଦୁର୍ଘଟଣାଗ୍ରସ୍ତ ହୋଇଛି । ଅପରାହ୍ ଣ ୧.୧୭ରେ ଉଡ଼ାଣ ଭରିଥିଲା ବିମାନ । ଏହି ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ଯାତ୍ରୀ ଓ ୫୩ ଜଣ ବ୍ରିଟିସ ନାଗରିକ ରହିଥିଲେ । ଏହି ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଏୟାର ଇଣ୍ଡିଆ । ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଯାତ୍ରୀଙ୍କ ବାବଦରେ କିଛି ଜାଣିବାକୁ ଚାହୁଥିଲେ ୧୮୦୦୫୬୯୧୪୪୪ ନମ୍ବରରେ ଯୋଗାଯୋଗ କରିପାରିବେ । ସୋସିଆଲ ମିଡିଆ ସାଇଟ୍ ଏକ୍ସ ହ୍ୟାଣ୍ଡେଲ୍ରେ ଏୟାର ପକ୍ଷରୁ କୁହାଯାଇଛି ଯେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ପାଇଲଟ ଏବଂ ୧୦ ଜଣ କ୍ରୀଉ ମେମ୍ବର ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୭ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏନଡିଆରଏଫ, ବିଏସଏଫ ମଧ୍ୟ ସାମିଲ ହୋଇଛି । ବିମାନ ଦୁର୍ଘଟଣା ପରେ ପ୍ରଚଣ୍ଡ ଶବ୍ବ ଶୁଭିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘନ ଜନବସତି ଅଞ୍ଚଳରେ ବିମାନ ଦୁର୍ଘଟଣା ଘଟିଛି ।
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ଏହି ବଡ଼ ଧରଣର ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ କଣ୍ଟ୍ରୋଲ୍ ରୁମ୍ ଆରମ୍ଭ ହୋଇଛି । ୦୧୧-୨୪୬୧୦୮୪୩ ଓ ୯୬୫୦୩୯୧୮୫୯ ନମ୍ବରରେ ସମ୍ପର୍କ କରି ନିଜ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ପରିବାର ଓ ପରିଜନ । ସେପଟେ ଜରୁରୀକାଳୀନ ସେବା ଏବଂ ସୂଚନା ପାଇଁ ଅହମ୍ମଦାବାଦ ସିଟି ପୋଲିସ ମଧ୍ୟ ହେଲ୍ପଲାଇନ୍ ନମ୍ବର ୦୭୯୨୫୬୨୦୩୫୯ ଜାରି କରିଛି ।