କେନ୍ଦ୍ରାପଡ଼ା : କାନ୍ଦି କାନ୍ଦି ରା ଧରି ପାରୁନି ଝିଅ । ବୋଉ ସହ ଆମେ ଗାଧୋଇ ଯାଇଥିଲୁ । ଗାଧୋଇକି ଆମେ ଉପରକୁ ପଳାଇ ଆସିଥିଲୁ । ବୋଉ ଲୁଗା ଧୋଉଥିଲା ଯେତେବେଳେ ଲୁଗା ଧୋଇ ପାଣି ଭିତରକୁ ଗାଧୋଇ ଗଲା କୁମ୍ଭୀର ଲାଞ୍ଜରେ ପିଟିକି ବୋଉକୁ ନେଇଗଲା । ମୁଁ ଯେତେ ପାଟି କଲି ବୋଉକୁ ଛାଡ଼ିଲାନି । ପାଟି କରି ସମସ୍ତଙ୍କୁ ଡାକିଲି ଗାଁ ଲୋକେ ଆସିଲା ବେଳକୁ ବୋଉ ଆଉ ନାହିଁ । ବୋଉ ଆମକୁ ଛାଡ଼ି ସବୁଦିନ ପାଇଁ ଚାଲିଗଲା । ଜୋରରେ ଗାଧୋଇବା ବେଳେ ଜଣେ ମହିଳାଙ୍କୁ ଟାଣିନେଇଛି କୁମ୍ଭୀର । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ କୋଳିଡ଼ିହ ପଞ୍ଚାୟତରେ । ମହିଳା ଜଣକ କୋଳିଡ଼ିହ ପଞ୍ଚାୟତ ତଅଁଳା ଡିହା ଗାଁର କାଜଲ ମହାନ୍ତି । କାଜଲ ଆଜି ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡିହା ଜୋରକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଇବା ବେଳେ ସମୟରେ କୁମ୍ଭୀର ଝାମ୍ପି ନେଇଥିଲା ଫଳରେ ମହିଳା ଜଣଙ୍କ ନିଖୋଜ ହୋଇଯାଇଛନ୍ତି । କୁମ୍ଭୀର ଝାମ୍ପିନେବା ଦେଖି ଝିଅ ଘରେ ଓ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକେ ପହଁଚି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ କାଜଲଙ୍କର କୌଣସି ଖୋଜ ଖବର ମିଳିଲାନି । ହେଲେ ଜୋର ନିକଟକୁ ଆସି କାଜଲଙ୍କ କପଡା ମାଣ୍ଡିଆ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଗ୍ରାମବାସୀ ଜୋରରେ ଖୋଜାଖୋଜି କରିବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।