ଅହମ୍ମଦାବାଦ ଫ୍ଲାଇଟ କ୍ରାସ୍ ଘଟଣାରେ ନୂଆ ମୋଡ । କ୍ଷତିଗ୍ରସ୍ତ ହୋଇଛି ଏୟାର ଇଣ୍ଡିଆର ବ୍ଲାକ ବକ୍ସ । ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଡାଟା ରିକଭର ହୋଇପାରୁ ନାହିଁ । ଏଥିପାଇଁ ଏହାକୁ ଆମେରିକା ପଠାଯିବ ବୋଲି ଜଣାପଡ଼ିଛି। ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ (NTSB) ଡାଟା ଡିକୋଡ କରିବ ।
ଦୁର୍ଘଟଣାର ଦୁଇ ଦିନ ପରେ ଜେବି ମେଡିକାଲ କଲେଜର ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରିଥିଲେ ଉଦ୍ଧାରକାରୀ ଦଳ । କକପିଟ୍ ଭଏସ୍ ରେକର୍ଡର – CVR ଏବଂ ଫ୍ଲାଇଟ ଡାଟା ରେକର୍ଡର- FDRକୁ ବ୍ଲାକ ବକ୍ସ କୁହାଯାଏ । ବ୍ଲାକବକ୍ସ ସହିତ ଏକ ଭାରତୀୟ ଦଳ ମଧ୍ୟ ଆମେରିକା ଯିବ । ଆଉ ଯାଞ୍ଚ ସମୟରେ ସମସ୍ତ ପ୍ରୋଟୋକଲ ଉପରେ ନଜର ରଖିବ ।

ବିମାନ ଦୁର୍ଘଟଣା ପରେ ବ୍ଲାକ ବାକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ । ଏହା ସାହାଯ୍ୟରେ ଦୁର୍ଘଟଣାର ତଦନ୍ତ କରାଯାଏ । ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା ? ଏହା ପଛରେ କ’ଣ କାରଣ ଥିଲା ? କକପିଟରେ ପାଇଲଟ ଓ ଅନ୍ୟମାନେ କ’ଣ କରୁଥିଲେ ଆଦି ତଥ୍ୟ ମିଳିଥାଏ । ବ୍ଲାକ ବକ୍ସ ସବୁବେଳେ ବିମାନ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରେ ।
ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ୨୪୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ବିମାନ ପଡିଥିବା ସ୍ଥାନରେ ୨୯ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିମାନ ଦୁର୍ଘଟଣାରେ ଯେଉଁମାନେ ଜୀବନ ହାରିଛନ୍ତି, ସେମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି । ଏଥିରେ ୧୨୪ ଜଣଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଥିଲା ।