ସମାଜବାଦୀ ପାର୍ଟିର ରାଲିରେ ପ୍ରବଳ ଭିଡ: ଏସ୍‌ଏଚ୍‌ଓ ନିଲମ୍ବିତ, ଏସିଏମ୍‌-ଏସିପିଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଲକ୍ଷ୍ନୌ, ଜାନୁଆରୀ ୧୫ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ସମାଜବାଦୀ ପାର୍ଟିର କାର୍ଯ୍ୟାଳୟରେ ପ୍ରବଳ ଭିଡ କାରଣରୁ ତଥା କରୋନା ଗାଇଡଲାଇନ୍‌ ଉଲ୍ଲଂଘନ ନେଇ ନିର୍ବାଚନ ଆୟୋଗ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିର୍ବାଚନ ଆୟୋଗ ଗୌତମପଲ୍ଲୀ ଏସ୍‌ଏଚ୍‌ଓଙ୍କୁ ଡ୍ୟୁଟିରେ ଅବହେଳା କରିଥିବାରୁ ତତ୍କାଲ ନିଲମ୍ବିତ କରିବାକୁ ଆଦେଶ ଦେଇଛନ୍ତି। ଏହା ବ୍ୟତୀତ ସହକାରୀ ପୋଲିସ ଆୟୁକ୍ତ ଓ ଅପର ନଗର ମାଜିଷ୍ଟ୍ରେଟ୍‌ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଆଦେଶରେ ଲକ୍ଷ୍ନୌ ପୋଲିସ କମିଶନର ଡିକେ ଠାକୁର   ଗୌତମପଲ୍ଲୀ ଏସ୍‌ଏଚ୍‌ଓଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ଲକ୍ଷ୍ନୌ କାର୍ଯ୍ୟାଳୟରେ ଭର୍ଚୁଆଲ ରାଲିର ଆୟୋଜନ କରିଥିଲା। କିନ୍ତୁ ଏହା ନାମକୁ ମାତ୍ର ଥିଲା। ଏଠାରେ ବହୁ ସଂଖ୍ୟାରେ ନେତା ଏକଜୁଟ ହୋଇଥିଲେ। ସାମାଜିକ ଦୂରତା ନଥିଲା। ସେହିପରି କରୋନା ପ୍ରୋଟୋକଲକୁ ଅଣଦେଖା କରାଯାଇଥିଲା। ଏହି ମାମଲାରେ ସମାଜବାଦୀ ବିରୋଧରେ ଏଫଆଇଆର ହୋଇଥିଲା। ମୋଟ ୨୫୦୦ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। 

Leave A Reply

Your email address will not be published.