ଉତ୍ତରାଖଣ୍ଡ: ହରକ ସିଂହ ରାୱତ ବିଜେପିରୁ ବହିଷ୍କୃତ

ଡେରାଡୁନ୍‌, ଜାନୁଆରୀ ୧୭: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ହରକ ସିଂହ ରାୱତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ପିଷ୍କର ସିଂହ ଧାମୀ ବିଜେପିରୁ ବହିଷ୍କାର କରିବା ନେଇ ଅନୁମୋଦନକୁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏଥି ସହିତ ବିଜେପି ୬ ବର୍ଷ ପାଇଁ ହରକ ସିଂହ ରାଓତଙ୍କୁ ଦଳରୁ ବହିଷ୍କାର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ କଂଗ୍ରେସ ନେତାଙ୍କୁ ଭେଟିବା ଭଳି କିଛି ଗତିବିଧି କାରଣରୁ ହରକ ସିଂହଙ୍କୁ ବିଜେପି ବାହାର କରିଦେଇଛି। ଅନ୍ୟପଟରେ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ଯେ, ହରକ ସିଂହ ସୋମବାର କଂଗ୍ରେସରେ ଯୋଗ ଦେଇପାରନ୍ତି। ଏନେଇ ହରକ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୋତେ ଦିଲ୍ଲୀ ଯିବାର ଅଛି। ସେ କହିଛନ୍ତି ଯେ, ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଛି କି ନାହିଁ, ଏବାବଦରେ ଜଣା ନାହିଁ। ସୂଚନାଯୋଗ୍ୟ ହରକ ସିଂହ ନିକଟରେ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏହି ଇସ୍ତଫାକୁ ରାଜ୍ୟପାଳ ସ୍ବୀକାର କରି ନଥିଲେ। ପ୍ରଥମେ ବିଜେପି ହରକ ସିଂହଙ୍କୁ ମନାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ହରକ ଏହାକୁ ନଶୁଣି ଦଳ ବିରୋଧୀ କାର୍ଯ୍ୟ କଲାଭଳି ଜଣାପଡ଼ିଥିଲା। ତେଣୁ ବିଜେପି ବାଧ୍ୟ ହୋଇ ହରକ ସିଂହଙ୍କୁ ଦଳରୁ ବହିଷ୍କାର କରିଛି। 

Leave A Reply

Your email address will not be published.