ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଦପଲ୍ଲୀ ପଂଚାୟତରେ କ୍ବାକ୍ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ହତ୍ୟାର ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋଲ୍ଲିକୋଟ ଥାନା ପୋଲିସ । ମୋଟ୍ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ପୋଲିସ ସୂଚନା ଦେଇଛି । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖି ଯାଇଥିବାବେଳେ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା, କୋଡି ଓ କାଠ ଫାଳିଆକୁ ଜବତ କରିଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ, ୬ଶହ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଛି । ଗୁଣ୍ଡୁରିପଲ୍ଲୀ ଗାଁର ଅନୀଲ କୁମାର ଶବର ଜଙ୍ଗଲକୁ କାଠ ହାଣିବାକୁ ଯାଇଥିବାବେଳେ ଆହତ ହୋଇଥିଲା । ଚିକିତ୍ସା ପାଇଁ ସେ ଶାଙ୍କୁଡ଼ା ଗାଁର କ୍ବାକ ଜୟ କୁମାର ମହାନ୍ତିଙ୍କ ପାଖକୁ ଯାଇଥିଲା । ଚିକିତ୍ସାରେ ୬ଶହ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଜୟ କୁମାର । ଅନୀଲଙ୍କ ପାଖରେ ଏତେ ଟଙ୍କା ନଥିବାରୁ କ୍ବାକଙ୍କୁ ଚିକିତ୍ସା ପାଇଁ ଗୁହାରି କରିଥିଲେ । ମାତ୍ର କ୍ବାକ୍ ଚିକିତ୍ସା ନକରିବାରୁ ଅନିଲ୍ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ । ଖଣ୍ଡାରେ କ୍ବିକଙ୍କ ଗୋଡ଼କୁ ହାଣିବା ସହିତ ମୁଣ୍ଡକୁ କାଠ ଫାଳିଆରେ ମାଡ଼ କରିଥିଲେ । କ୍ବାକ୍ ତଳେ ପଡ଼ିଯିବା ପରେ ଅନିଲ୍ ଓ ତାଙ୍କ ସାଙ୍ଗମାନେ ବେକ ଉପରେ ଚଢିଯାଇଥିଲେ । ଫଳରେ କ୍ବାକ୍ ଜୟ କୁମାର ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ନାବାଳକ ସମେତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୁଣ୍ଡୁରିପଲ୍ଲୀ ଗାଁର ଅନୀଲ କୁମାର ଶବର, ମରେଇ ନୂଆଗାଁର ଜିତେନ୍ଦ୍ର ଶବର, ନୂଆପଲ୍ଲୀର ରବୀନ୍ଦ୍ର ଶବର, ବାଦପଲ୍ଲୀ ଗାଁର ଯୋଗୀ ଶବରଙ୍କ ସମେତ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖାଯାଇଥିବା ସୂଚନା ଦେଇଛି ପୋଲିସ ।