ଡିଲ୍‌କୁ ନେଇ ବିଜେପି ଓ କଂଗ୍ରେସ ଭିତରେ ବାକ୍‌ ଯୁଦ୍ଧ; ମୁହଁ ଖୋଲିଲା ବିଜେଡି

ଭୁବନେଶ୍ୱର : ପଦ୍ମପୁର ଫଳାଫଳ ପରେ ‘ଡିଲ୍‌’କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ଏହି ବାକ୍‌ଯୁଦ୍ଧରେ ଲମ୍ଫ ମାରିଛି ବିଜେଡି। ଆଜି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡି ବିଧାୟକ ସୁଶାନ୍ତ ସିଂ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି, ଭାରତୀୟ ଜନତା ପାର୍ଟି ଡିଲ୍‌ କରେ। ୨୦୧୪ ନିର୍ବାଚନରେ ସତ୍ୟ ସାହୁ ଛିଡ଼ା ହୋଇନଥିଲେ। ସେତେବେଳେ ସେମାନେ ମଧ୍ୟ ଡିଲ୍ କରିଥିଲେ। ନିର୍ବାଚନରେ ହାରିବା ପରେ ବିଭିନ୍ନ କଥା କହୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ପଦ୍ମପୁରରେ ଜିତିବା ପାଇଁ ସେମାନେ ଡିଲ୍‌ କରିଥିଲେ। ପୂର୍ବତନ ଏମ୍‌ପି ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍‌ କରି ଆଣିଥିଲେ। ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟ୍‌କୁ ଡାଇଭର୍ଟ କରିଥିଲେ। ଜିତିବା ପାଇଁ ଓଭର କନ୍‌ଫିଡେଣ୍ଟ ଥିଲେ। ହାରିବାଟାକୁ ଗ୍ରହଣ କରିପାରୁନାହାନ୍ତି। ପଦ୍ମପୁର ହେଉଛି ବିଜେଡିର ଗଡ଼। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପାଇଁ ଆମେ ବିଜୟୀ ହୋଇଛୁ ବୋଲି ସୁଶାନ୍ତ ସିଂ କହିଛନ୍ତି। ଧାମନଗର ପରାଜୟ ନେଇ ଶ୍ରୀ ସିଂ କହିଛନ୍ତି, ଧାମନଗରେ ଅନୁକମ୍ପା କାମ ଦେଲା। ଆମର ରଣକୌଶଳ ଫେଲ୍‌ ମାରିଲା। ଏହା ଆମେ ସ୍ୱୀକାର କରିଛୁ। ରାଜୁ ଦାସଙ୍କ ସହିତ ବିଜେପି ଡିଲ୍‌ କରିଥିଲା। ସେଠାରେ ଅନେକ କଂଗ୍ରେସ ଭୋଟ ବିଜେପିକୁ ଯାଇଥିଲା। ୧୦ରୁ ଅଧିକ ସରପଞ୍ଚଙ୍କ ସହିତ ବିଜେପି କର୍ମୀମାନେ ମିଶି ଥିଲେ। ଏଠି(ପଦ୍ମପୁରରେ) କୌଣସି ଡିଲ୍‌ ହୋଇନାହିଁ। ବିଜେପି ଅବାନ୍ତରରେ ଅଭିଯୋଗ କରୁଛି। ୨୦ ବର୍ଷର ଶାସନ କାଳ ଭିତରେ ବିଜେଡି ଏତେ ନୀଚ ସ୍ତରକୁ ଯାଇ ରାଜନୀତି କରିନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।

Leave A Reply

Your email address will not be published.