ମୋନାଲି ହତ୍ୟା ମାମଲା: ବନ୍ଧା ହେଲେ ବାପା, ଆଉ ୩ ଅଟକ

କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁର ମୋନାଲି ହତ୍ୟା ମାମଲାକୁ ନେଇ ଏ ଯାଏ ସସ୍‌ପେନ୍ସ ଦୂର ହୋଇନି। ମୋନାଲିକୁ ମାରି ପୋଡ଼ିବା ଘଟଣାରେ ପୁଲିସ୍‌ ତାଙ୍କ ବାପା ଦୁର୍ଗାଚରଣ ମହାରଣାଙ୍କୁ ବାନ୍ଧିଛି।  ଏହି ଘଟଣାରେ ତାଙ୍କ ଦ୍ୱିତୀୟ ପତ୍ନୀ ଓ ଶାଳକ ସମ୍ପୃକ୍ତ ଥିବା ମୃତା ମୋନାଲିଙ୍କ ବଡ଼ ଭଉଣୀ ଅଭିଯୋଗ କରିଥିବା ବେଳେ ସେମାନଙ୍କ ପତ୍ତା ପାଉନି ପୁଲିସ୍‌। ହେଲେ ମୋନାଲିଙ୍କ ମୃତଦେହ ପୋଡ଼ିବାରେ ସାହାଯ୍ୟ କରିଥିବା ୩ ପଡ଼ୋଶୀଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୁଲିସ୍‌ । ପୁଲିସ୍‌ ଏହି ଘଟଣାର ଖୋଳତାଡ଼କୁ ଜୋରଦାର କରିଥିବା ବେଳେ ଏବେ ପ୍ରମାଣ ସଂଗ୍ରହରେ ଲାଗି ପଡ଼ିଛି। ଏପରିକି ମୋ’ ବିନା ଅନୁମତି କିପରି ମୋ’ ଭଉଣୀକୁ ନେଇ ପୋଡ଼ିଲେ ବୋଲି ମୃତାଙ୍କ ବଡ଼ ଭଉଣୀ ରଞ୍ଜିତା ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି। ଏପରିକି ମୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଶ୍ମଶାନକୁ ନେଇ ପୋଡ଼ିବାରେ ସାହାଯ୍ୟ କରିଥିବା ୩ ଜଣଙ୍କୁ ପୁଲିସ୍‌ ଉଠାଇ ନେଇଛି। ତେବେ ସେମାନେ ଘଟଣା ସମ୍ପର୍କରେ ଅବଗତ ନ ଥିବା ବେଳେ ମୋନାଲିର ମୃତ୍ୟୁ କିପରି ହେଲା ଜାଣି ନ ଥିବା କହିଛନ୍ତି। ତେବେ ଝିଅର ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ଶ୍ମଶାନକୁ ନେବାକୁ ସାହାଯ୍ୟ ମାଗିବାରୁ ସେମାନେ କେବଳ ତାହା ହିଁ କରିଥିବା ସଫେଇ ଦେଇଛନ୍ତି। ଗତକାଲି ପୁଲିସ୍‌  ପୁରୀ ଜିଲ୍ଲା ଗୋପ ଥାନା ବିଜିପୁର ଗାଁ ମଶାଣିରୁ ପାଉଁଶ ସଂଗ୍ରହ କରିବା ସହ ଦୁର୍ଗ।ଚରଣଙ୍କୁ ବାନ୍ଧିଥିଲା। ଏହାପରେ ତାଙ୍କୁ କୋଣାର୍କ ଜେଏମଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡ଼ା ଉପକାରାଗାରକୁ ପଠାଇଦିଆଯାଇଛି।  ମଶାଣିରୁ ସଂଗୃହୀତ ପାଉଁଶ ମୋନାଲିଙ୍କର କି ନାହିଁ ଜାଣିବା ପାଇଁ ଦୁର୍ଗାଚରଣଙ୍କ ଡିଏନ୍‌ଏ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଦୁର୍ଗାଚରଣ ହିଁଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ତାଙ୍କ ବଡ଼ ଝିଅ କହୁଥିବା ବେଳେ ସେ କିନ୍ତୁ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିଜ ଝିଅକୁ ମାରିଥିବା ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରୁଛନ୍ତି ଦୁର୍ଗାଚରଣ। ହେଲେ ଝିଅ ଘରେ ଥିବା ବେଳେ ଏବେ କେଉଁଠି ପଚାରିବାରୁ ଉତ୍ତର ଦେଇ ପାରୁ ନାହାନ୍ତି। ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁର ମୋନାଲିଙ୍କୁ ବାପା, ସାବତ ମା’ ଓ ମାମୁ ମିଶି ଗତ ୭ ତାରିଖ ରାତିରେ ମାରିଦେଇଥିବା ନେଇ ଗୋପ ଥାନାରେ ଅଭିଯୋଗ ହୋଇଥିଲା।  କୋଲକତାରେ ରହୁଥିବା ମୋନାଲିଙ୍କ ବଡ଼ ଭଉଣୀ ଖବର ପାଇ ଘରକୁ ଫେରି ଏନେଇ     ଗୋପ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହାବାଦ ମୋନାଲି ସବୁବେଳେ ନିଜ ଜେଜେମା’ଙ୍କ ପାଖରେ ଶୋଉଥିବା ବେଳେ ତାଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରିବାକୁ ସେ ପୁଲିସ୍‌ ନିକଟରେ ଗୁହାରି କରିଛନ୍ତି।

Leave A Reply

Your email address will not be published.