ଆଇନଜୀବୀଙ୍କୁ ଆଇଏଏସ ଅଫିସର ଓ ପୂର୍ବତନ ବିଧାୟକଙ୍କ ଗଣଦୁଷ୍କର୍ମ! ମାମଲା ରୁଜୁ

ପାଟନା: ବରିଷ୍ଠ ଆଇଏଏସ୍‌ ସଞ୍ଜୀବ ହାନସ ଓ ଆରଜେଡିର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ନାଁରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଉଭୟ ବନ୍ଧୁକ ମୁନରେ ଜଣେ ଆଇନଜୀବୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ଉଭୟ ଉକ୍ତ ମହିଳା ଆଇନଜୀବୀଙ୍କୁ ବ୍ଲାକମେଲ କରିବା ସହ ମୁହଁ ଖୋଲିଲେ ହତ୍ୟା କରାଯିବାର ଧମକ ଦେଇଥିଲେ। ଦୁଷ୍କର୍ମ ଯୋଗୁ ମହିଳା ଜଣଙ୍କ ଗର୍ଭବତୀ ହେବା ସହ ନିଜ ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଛନ୍ତି। ୧୯୯୭ ବ୍ୟାଚ୍‌ର ବିହାର କ୍ୟାଡର ଆଇଏଏସ୍‌ ସଞ୍ଜୀବ ଓ ପୂର୍ବତନ ବିଧାୟକ ଗୁଲାବଙ୍କ ବିରୋଧରେ ମଙ୍ଗଳବାର ପାଟନାର ରୂପାସପୁର ପୁଲିସ୍‌ ଷ୍ଟେସନରେ ଏଫଆଇଆର ପଞ୍ଜୀକୃତ କରାଯିବା ସହ ମାମଲା ରୁଜୁ ହୋଇଛି। ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ଆଡିସନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସିଜେଏମ) ନବୀନ କୁମାର ଶ୍ରୀବାସ୍ତବ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଉଭୟଙ୍କ ନାଁରେ ମାମଲା କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ପ୍ରଥମେ ପୀଡ଼ିତା ଆଇନଜୀବୀ ଜଣଙ୍କ ପାଟନା ମହିଳା ପୁଲିସ୍‌ ଷ୍ଟେସନରେ ଉଭୟଙ୍କ ବିରୋଧରେ ଏଫଆଇଆର ଦେବାକୁ ଚାହିଁଥିଲେ। କିନ୍ତୁ ପୁଲିସ୍‌ ତାଙ୍କ କଥା ନ ଶୁଣିବାରୁ ସେ ୨୦୨୧ ନଭେମ୍ବରରେ କୋର୍ଟରେ ଆବେଦନ କରିଥିଲେ। ସଞ୍ଜୀବ ବର୍ତ୍ତମାନ ରାଜ୍ୟ ଶକ୍ତି ବିଭାଗର ପ୍ରିନ୍ସିପାଲ ସଚିନ ରହିଛନ୍ତି। ସେହିପରି ୨୦୨୨ ମାର୍ଚ୍ଚରେ ଦଳ ବିରୋଧୀ କାମ ପାଇଁ ପୂର୍ବତନ ବିଧାୟକ ଗୁଲାବଙ୍କୁ ଆରଜେଡି ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଥିଲା। ଏବେ ଉଭୟଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ରୂପସପୁର ପୁଲିସ୍‌ ଷ୍ଟେସନ ଏସଏଚ୍‌ଓ ରାମାନୁଜ ରାମ କହିଛନ୍ତି, ସଞ୍ଜୀବ ଓ ଗୁଲାବଙ୍କ ନାଁରେ ଆଇପିସିର ବିଭିନ୍ନ ଦଫା ସହ ଆଇଟି ଆକ୍ଟ ୬୭ ବଲରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ନାଁରେ ଆଇପିସିର ୧୨୦ବି, ୩୧୩, ୩୨୩, ୩୪୧, ୩୭୬, ୩୭୬ଡି, ୪୨୦ବି, ୫୦୪ ଓ ୫୦୬/୩୪ ଦଫା ଲାଗିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.