ରାସ୍ତାରେ ଛିଡ଼ା ହୋଇଥିଲା ଟ୍ରକ୍‌, ପିଟି ଦେଲା ସ୍କର୍ପିଓ, ୨ ମୃତ

ବଲାଙ୍ଗିର : ସମ୍ବଲପୁର ଜିଲ୍ଲା ବୁର୍ଡ ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ପିଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ସ୍କର୍ପିଓ ଚାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓ ମାଡ଼ରେ ଟ୍ରକ୍‌ଟି କିଛି ଦୂରକୁ ଘୁଞ୍ଚି ଯାଇଥିଲା। ଆଜି ସକାଳେ ଟ୍ରକ୍‌ଟି ବୁର୍ଡ ଛକ ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିଲା। ଟ୍ରକ୍‌ ଡ୍ରାଇଭର ଚା’ ପିଇବାକୁ ଯାଇଥିବା ବେଳେ ଏହାପରେ ଆସି ନିଜ ସିଟ୍‌ରେ ବସିଥିଲେ। ଟ୍ରକ୍‌ର ଡ୍ରାଇଭର ସିଟ୍‌ ସମ୍ମୁଖରେ ଏକ ରାସ୍ତା ଥିବା ବେଳେ ଉକ୍ତ ବାଟ ଦେଇ ଦ୍ରୁତ ଗତିରେ ଏକ ସ୍କର୍ପିଓ ମାଡ଼ି ଆସିଲା। ଆଖି ପିଛୁଳାକେ ସ୍କର୍ପିଓଟି ଟ୍ରକ୍‌କୁ ପିଟିଥିଲା। ଘଟଣାସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ୪ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କଣ୍ଟାବାଜିଂ ଅଂଚଳର କିଛି ବ୍ୟବସାୟୀ ବରଗଡ ଅଂଚଳରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଲିଛି । ଲୋଇସିଂହା ପୋଲିସ ତଦନ୍ତ ଜାରୀ ରଖିଛି ।

Leave A Reply

Your email address will not be published.