କରୋନା ସଂକ୍ରମିତ ମା’କୁ ଘରେ କବାଟ ବନ୍ଦ କରି ପଳାଇଲା ପୁଅ

କରୋନା ମହାମାରୀ ସମୟରେ ଲୋକମାନଙ୍କର ମାନବିକତା ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ଲୋକେ ରୋଗରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରୁଥିବା ବେଳେ ଅନ୍ୟ ସ୍ଥାନରେ ନିଜକୁ ବଂଚାଇବା ପାଇଁ ସଂପର୍କକୁ ଭୁଲିଯାଉଛନ୍ତି । ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁ ଜନ୍ମଦାତ୍ରୀ ମା’ ପୁଅକୁ ଜନ୍ମ ଦେଇଛି, ସେ ଅବହେଳା ସମ୍ମୁଖୀନ ହୋଇଛନ୍ତି । କରୋନା ସଂକଟ ସମୟରେ କରୋନା ସଂକ୍ରମିତ ମା’କୁ ପୁଅ-ବୋହୂ ଛାଡ଼ି ପଳାୟନ କରିଛନ୍ତି । ସବୁଠାରୁ ପରିତାପର ବିଷୟ ହେଲା ଯେ, ମା’ଙ୍କୁ ପୁଅ ଓ ବୋହୂ ଘର ଭିତରେ ବନ୍ଦୀ କରି ଅନ୍ୟତ୍ର ଚାଲିଯାଇଛନ୍ତି । ପୋଲିସ କହିବା ଅନୁସାରେ କମଳାନଗର କୋଠି ନମ୍ବର ୧୯୨ରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ପୁଅ-ବୋହୂ ନିଜର ମା’ଙ୍କୁ କୋଠରୀରେ ବନ୍ଦ କରି କବାଟରେ ତାଲା ପକାଇ ଦେଇଥିଲେ । ସେମାନଙ୍କୁ ଭୟ ଥିଲା ଯେ, କରୋନାରେ ପୀଡିତ ମା’ଙ୍କ ଦ୍ୱାରା ଘରର ଅନ୍ୟମାନେ ସଂକ୍ରମିତ ହୋଇଯିବେ। ପରେ ଘଟଣା ସଂପର୍କରେ ଗାଁ ଲୋକେ ଜାଣିବାରୁ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.