ୟୁକ୍ରେନ୍‌ ବିରୋଧରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି ଭାରତୀୟ ବଂଶୋଦ୍ଭବ

ମସ୍କୋ ୦୨/୦୩ : ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି। ଏ ସମୟରେ ଭାରତୀୟ ବିଧାୟକ ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସଦସ୍ୟ ଡ. ଅଭୟ କୁମାର ସିଂ ପଡୋଶୀ ଦେଶ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି। ଅଭୟ ସିଂ  କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣର ଯଥାର୍ଥତା ରହିଛି।  ପଡୋଶୀ ଦେଶକୁ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି। ଆଉ ପରେ ଯୁଦ୍ଧର ନିଷ୍ପତ୍ତି ନିଆଯାଇଥିଲା। ସେ ଆହୁରି କହିଛନ୍ତି, “ଯଦି ଚୀନ୍ ବାଂଲାଦେଶରେ ନିଜର ସାମରିକ ବେସ୍‌ ପ୍ରତିଷ୍ଠା କରେ, ତେବେ ଭାରତର ପ୍ରତିକ୍ରିୟା କିପରି ରହିବ? ବାସ୍ତବିକ କଥା ଯେ, ଭାରତ ଏହାକୁ ପସନ୍ଦ କରିବ ନାହିଁ। ଋଷ ବିରୁଦ୍ଧରେ ନାଟୋ ଗଠନ କରାଯାଇଥିଲା । ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ସତ୍ତ୍ୱେ ଏହା ବିଚ୍ଛିନ୍ନ ହୋଇନଥିଲା ଏବଂ ଏହା ଧୀରେ ଧୀରେ ଆମ ନିକଟତର ହୋଇଥିଲା। ଯଦି ୟୁକ୍ରେନ ନାଟୋରେ ଯୋଗ ଦିଏ, ତେବେ ଏହା ନାଟୋ ସୈନ୍ୟବାହିନୀକୁ ଆମର ନିକଟତର କରିବ। କାରଣ ୟୁକ୍ରେନ ଆମର ପଡୋଶୀ ଦେଶ ଏବଂ ଏହା ଚୁକ୍ତିନାମାକୁ ଉଲ୍ଲଂଘନ କରିବ। ତେଣୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଛଡ଼ା ଆମର କୌଣସି ବିକଳ୍ପ ନଥିଲା  ବୋଲି ଡ. ଅଭୟ କୁମାର ସିଂ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ଯୋଜନା କରୁଥିବା ଅନୁମାନକୁ ଖଣ୍ଡନ କରିଛନ୍ତି ଋଷର ଅଭୟ ସିଂହ। ସେ କହିଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ତଥା ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଅନ୍ୟଦେଶକୁ ଜବାବ ଦେବା। “ପରମାଣୁ ଅସ୍ତ୍ର ବିଷୟରେ ଚିନ୍ତା କରିବାର କିଛି ନାହିଁ। ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି ଯେ ପରମାଣୁ ଅଭ୍ୟାସ କେବଳ ଅନ୍ୟଦେଶକୁ ଭୟଭୀତ କରିବାକୁ ଯିଏକି ଋଷ ଉପରେ ଆକ୍ରମଣ କରିବ। ଯଦି ଅନ୍ୟ ଦେଶ ଆମ ଉପରେ ଆକ୍ରମଣ କରେ ତେବେ ଋଷ ସବୁ ପ୍ରକାର ଜବାବ ଦେବ।” ଅଭୟ କୁମାର ସିଂ ବିହାରର ପାଟଣାର ବାସିନ୍ଦା। ସେ ପ୍ରାୟ ୩୦ ବର୍ଷ ପୂର୍ବେ ୧୯୯୧ରେ ଋଷ ଯାଇଥିଲେ।ସେ ପାଟନାସ୍ଥିତ ଲୟୋଲା ହାଇସ୍କୁଲରୁ ପାଠ ପଢ଼ିଥିଲେ। ପରେ ଋଷର କୁର୍ସ୍କ ଷ୍ଟେଟ ମେଡିକାଲ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିଲେ। ଏହାପରେ, ସେ ଡାକ୍ତରୀ ଅଭ୍ୟାସ କରିବା ପାଇଁ ପାଟନାକୁ ଫେରିଥିଲେ। ତାପରେ ଋଷକୁ ଯାଇ ନିଜର ଫାର୍ମାସ୍ୟୁଟିକାଲ୍ ବ୍ୟବସାୟ ଆରମ୍ଭ କରିଥିଲେ। ପରେ, ସେ ରିଅଲ୍ ଇଷ୍ଟେଟ୍ ଏବଂ ନିର୍ମାଣ କ୍ଷେତ୍ରରେ ନିଜର ବ୍ୟବସାୟକୁ ବିସ୍ତାର କରିଥିଲେ। ସେ ୨୦୧୫ରେ ଭ୍ଲାଦିମିର ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ପାର୍ଟିରେ ଯୋଗ ଦେଇଥିଲେ।  ୨୦୧୮ରେ କୁର୍ସ୍କରୁ ଏକ ପ୍ରାନ୍ତୀୟ ନିର୍ବାଚନରେ ​​ଜିତିଥିଲେ ।

Leave A Reply

Your email address will not be published.