ଚଣ୍ଡୀଗଡ଼,୦୪/୦୩: ଶୁକ୍ରବାର ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ସିରିଜର ପ୍ରଥମ ଟେଷ୍ଟ ଭାରତୀୟ ଦଳ ପାଇଁ ବହୁତ ଖାସ । କାରଣ ଏହି ମ୍ୟାଚ୍ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୧୦୦ ତମ ଟେଷ୍ଟ୍ ହେବ । ମ୍ୟାଚ୍ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ । ଭାରତ ସବୁ ବିଭାଗକୁ ଗୁରୁତ୍ୱ ଦେବା ସହ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଗୁରୁବାର ଥିଲା ଅଭ୍ୟାସ ଶିବିରର ତୃତୀୟ ଦିନ । କୋହଲି ଓ ରୋହିତଙ୍କ ସମେତ ସମସ୍ତ ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ କରିଥିଲେ। ନେଟ୍ସରେ ବ୍ୟାଟିଂ କରିଥିଲେ ବ୍ୟାଟର୍ । ସେହିପରି ପେସ୍ ବୋଲର, ସ୍ପିନର, ଥ୍ରୋ ଡାଉନ୍ ଆଦି ପ୍ରାକ୍ଟିସ୍ କରିଥିଲେ ଖେଳାଳି। କୋହଲି ଓ ରୋହିତ ଦୀର୍ଘ ୧ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଅଭ୍ୟାସ ବେଳେ ଉଭୟ ପରସ୍ପରକୁ ଉତ୍ସାହିତ କରିବାକୁ ମଧ୍ୟ ଭୁଲି ନଥିଲେ । ତେବେ କୋହଲି ବିଶ୍ୱର ୭୧ତମ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଗତ ୭୦ଟି ଇନିଂସ (ସବୁ ଫର୍ମାଟ୍) ମଧ୍ୟରେ କୋହଲି ଶତକ ଅର୍ଜନ କରିପାରି ନାହାନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୭୦ଟି ଶତକ ଅର୍ଜନ କରିସାରିଛନ୍ତି । ୧୦୦ତମ ଟେଷ୍ଟରେ ୭୧ତମ ଶତକ ଅର୍ଜନ କରି ମ୍ୟାଚକୁ ସ୍ମରଣୀୟ କରାଇବା ପାଇଁ କୋହଲି ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅଭ୍ୟାସ ବେଳେ କୋହଲି ସମ୍ପୂର୍ଣ୍ଣ ଚାପମୁକ୍ତ ଥିବା ବାରି ହୋଇ ପଡ଼ିଥିଲା । ରୋହିତଙ୍କ ମଧ୍ୟ ଏହି ଟେଷ୍ଟ ସ୍ମରଣୀୟ ରହିବ । ୨୦୧୮ରେ ଟେଷ୍ଟ ଦଳରେ ଥାଇ ମଧ୍ୟ ଦ୍ୱାଦଶ ଖେଳାଳି ଭାବେ ଗ୍ରାଉଣ୍ଡ ଭିତରକୁ ପାଣି ବୁହାଉଥିବା ରୋହିତ ୪ବର୍ଷ ପରେ ଭାରତୀୟ ଦଳର ସବୁ ଫର୍ମାଟ୍ ଅଧିନାୟକ । ଟେଷ୍ଟ ଅଧିନାୟକ ଭାବେ ସେ ଶୁକ୍ରବାର ଦିନ ନୀଳ କୋଟ୍ ପିନ୍ଧି ଟସ୍ ପକାଇବାକୁ ଗ୍ରାଉଣ୍ଡ୍କୁ ଓହ୍ଲାଇବେ । କେବଳ ଟେଷ୍ଟ ଅଧିନାୟକ ଭାବେ ପଦାର୍ପଣ କରିବାକୁ ରୋହିତ ଆଗ୍ରହୀ ନୁହନ୍ତି । ଟେଷ୍ଟ ଅଧିନାୟକ ଭାବେ ବଡ ସ୍କୋର କରିବା ସହ ଦଳକୁ ବିଜୟୀ କରାଇବା ରୋହିତଙ୍କ ଲକ୍ଷ୍ୟ ।