୨୦୦ ଡଲାର ଛୁଇଁବ ଅଶୋଧିତ ତୈଳଦର

ନୂଆଦିଲ୍ଲୀ,୦୮/୦୩: ରୁଷ ତୈଳ ଉପରେ କଟକଣା ଏବଂ ଇରାନ ତେଲ ବଜାରକୁ ଆସିବାରେ ବିଳମ୍ବ ସମ୍ଭାବନା ମଧ୍ୟରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା । କାରବାରର ପ୍ରଥମ କେଇ ମିନିଟ୍‌ରେ ବ୍ରେଣ୍ଟ କ୍ରୁଡ୍‌ ୧୩୯.୧୩ ଡଲାର ଛୁଇଁଥିବାବେଳେ ୟୁଏସ୍‌ ୱେଷ୍ଟ ଟେକ୍ସାସ ଇଣ୍ଟର୍‌ମିଡିଏଟ୍‌(ଡବ୍ଲ୍ୟୁଟିଆଇ) ୧୩୦.୫୦ ଡଲାର ଛୁଇଁଛି । ଉଭୟ ୨୦୦୮ ଜୁଲାଇରୁ ସର୍ବୋଚ୍ଚ ସ୍ତର ଛୁଇଁଥିଲା । କାରବାର ମଧ୍ୟଭାଗରେ ଦର କମିଥିଲା । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍‌ ୧୨୪.୭୧ ଡଲାର ଏବଂ ଡବ୍ଲ୍ୟୁଟିଆଇ ୧୨୨.୩୫ ଡଲାରକୁ ହ୍ରାସ ପାଇଥିଲା । କାରବାର ଶେଷରେ ଉଭୟ ଯଥାକ୍ରମେ ୧୧୮.୧୧ ଡଲାର ଏବଂ ୧୧୫.୬୮ ଡଲାରରେ ବନ୍ଦ ହୋଇଛି ।ତେବେ ବ୍ୟାଙ୍କ ଅଫ୍‌ ଆମେରିକାର ବିଶ୍ଳେଷକମାନଙ୍କ କହିବାନୁସାରେ ରୁଷର ତୈଳ ଉପରେ କଟକଣା ହେଲେ ଦୈନିକ ୫୦ ଲକ୍ଷ ବ୍ୟାରେଲ କିମ୍ବା ଏହାଠାରୁ ଅଧିକ ପରିମାଣର ତୈଳ ଅଭାବ ଦେଖାଦେବ । ଏହାର ଅର୍ଥ ଅଶୋଧିତ ତୈଳ ଦର ୨୦୦ ଡଲାରରେ ପହଞ୍ଚିପାରେ । ଜେପି ମୋର୍ଗାନ ପକ୍ଷରୁ ଅନୁମାନ କରାଯାଇଛି ଯେ, ଚଳିତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୧୮୫ ଡଲାରକୁ ବଢ଼ିପାରେ । ମିତ୍‌ସୁବିଶି ୟୁଏଫ୍‌ଜେ ଫାଇନାନ୍‌ସିଆଲ ଗ୍ରୁପ୍‌ର ବିଶେଷଜ୍ଞମାନଙ୍କ କହିବାନୁଯାୟୀ ତୈଳ ଦର ୧୮୦ ଡଲାର ଛୁଇଁପାରେ ଏବଂ ଏହା ଦ୍ୱାରା ବିଶ୍ୱରେ ଏକ ବଡ଼ ଧରଣର ମାନ୍ଦାବସ୍ଥା ଦେଖାଦେଇପାରେ ।

Leave A Reply

Your email address will not be published.