ମେ ୧୨ ସୁଦ୍ଧା ଏଲଆଇସି ଆଇପିଓ

ନୂଆଦିଲ୍ଲୀ,୧୪/୦୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ମେ ୧୨ ସୁଦ୍ଧା ଆସିପାରେ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ନିକଟରେ ସରକାର ଦାଖଲ କରିଥିବା ଦସ୍ତାବିଜ ଅଧାରରେ ମେ ୧୨ ଯାଏ ଏଥିଲାଗି ସମୟ ରହିଛି । ଏହି ଅବଧିରେ ସରକାର ଯଦି ଆଇପିଓ ନ ଆଣନ୍ତି ତେବେ ଡିସେମ୍ବର ତ୍ରୈମାସ ଆର୍ଥିକ ଫଳାଫଳ ସହ ସେବି ନିକଟରେ ପୁଣି ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । କୌଣସି ନୂଆ ଦସ୍ତାବିଜ ଦାଖଲ କରିବା ବିନା ଏଲ୍‌ଆଇସି ୧୨ ମେ ସୁଦ୍ଧା ଆଇପିଓ ଆଣିପାରିବ । ମାର୍ଚ୍ଚରେ ଏହି ଆଇପିଓ ଆଣିବାକୁ ସରକାର ପ୍ରଥମେ ଯୋଜନା ବନାଇ ଥିଲେ । ଏଲ୍‌ଆଇସିର ପ୍ରାୟ ୩୧.୬ କୋଟି ଶେୟାର ବା ୫% ଅଂଶଧନ ବିକ୍ରି କରିବାକୁ ଯୋଜନା ରଖାଯାଇଥିଲା । ଏଭଳି ପ୍ରକ୍ରିୟାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ମାତ୍ର ଆଇପିଓ ଆଣିବା ଯୋଜନାକୁ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଭାବିତ କରିଥିଲା । ଯୁଦ୍ଧ ଯୋଗୁ ପୁଞ୍ଜି ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି । ଫଳରେ ଆଇପିଓ ଆଣିବା ଧାର୍ଯ୍ୟ ତାରିଖକୁ ସରକାର ଟାଳି ଦେଇଥିଲେ । ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରି କହିଛନ୍ତି ଯେ, ଆଇପିଓ ଆଣିବା ଲାଗି ସରକାରଙ୍କ ନିକଟରେ ୧୨ ମେ ଯାଏ ସମୟ ରହିଛି । ବଜାର ଉପରେ ନଜର ରଖାଯାଇଛି । ଶୀଘ୍ର ପ୍ରାଇସ ବ୍ୟାଣ୍ଡ ସହ ଆର୍‌ଏଚ୍‌ପି ଦାଖଲ କରାଯିବାର କାର୍ଯ୍ୟକ୍ରମ ରହିଛି । ଯଦି ୧୨ ମେ ସୁଦ୍ଧା ସରକାର ଆଇପିଓ ନ ଆଣନ୍ତି ତେବେ ପୁଣି ଥରେ ସେବି ନିକଟରେ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । ଅଧିକାରି ଜଣକ ପୁଣି କହିଛନ୍ତି ଯେ, ୧୫ ଦିନରେ ବଜାର ଉପରେ ରହିଥିବା ପ୍ରଭାବ କମିଛି । ମାତ୍ର ବଜାର ସ୍ଥିର ହେବା ଯାଏ ଅପେକ୍ଷା କରିବାକୁ ପଡିବ । ଫଳରେ ଖୁଚୁରା ନିବେଶକ ଶେୟାରରେ ନିବେଶ କରିବା ଲାଗି ଭରସା ପାଇପାରିବେ ।

Leave A Reply

Your email address will not be published.