ରାଜ୍ୟରେ ବଢୁଛି ଦୁର୍ଘଟଣା, ୧୦ ବର୍ଷରେ ଗଲାଣି ୪୫ ହଜାର ଜୀବନ

ଭୁବନେଶ୍ୱର ୦୪।୦୪: ରାଜ୍ୟରେ ବଢୁଛି ଦୁର୍ଘଟଣା। ଗତ ୧୦ ବର୍ଷରେ ଦୁର୍ଘଟଣାରେ ଗଲାଣି ୪୫ ହଜାର ଜୀବନ। ଦୁର୍ଘଟଣା ଜନିତ ମୃତ୍ୟୁ ହାର ୫୦ ପ୍ରତିଶତ କମାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିଲେ ବି ୨୦୧୪-୨୦୨୧ ମଧ୍ୟରେ ୨୯ ପ୍ରତିଶତ ମୃତ୍ୟୁହାର ବଢ଼ିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ୨୦୨୦ ତୁଳନାରେ ୨୦୨୧ରେ ଦୁର୍ଘଟଣାରେ ମୃତ୍ୟୁହାର ୭.୨୪ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୪ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ପଦକ୍ଷେପ ପରେ ବି  ଦୁର୍ଘଟଣା ଜନିତ ମୃତ୍ୟୁ କମୁନଥିବାରୁ ଉଦବେଗ ପ୍ରକାଶ କରିଛି ପରିବହନ ବିଭାଗ। ଆଗାମୀ ଦିନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ମୃତ୍ୟୁହାର କମାଇବା ନେଇ ପ୍ରୟାସ ଆରମ୍ଭ କରିଛି ପରିବହନ ବିଭାଗ। ସୋମବାରଠୁ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ କ୍ରାଶ ଇଂଭେସ୍ଟିଗେସନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ  ମୋଟ ୭୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ୫୦ ଜଣ ପୋଲିସ ଓ ୨୦ ଜଣ ପରିବହନ ଅଧିକାରୀ ସାମିଲ ହୋଇଥିଲେ।  ଦୁର୍ଘଟଣା କାହିଁକି ଘଟୁଛି ତାହାର ସଠିକ ତଦନ୍ତ କରିବା ସହ ବୈଜ୍ଞାନିକ ପ୍ରଣାଳୀରେ ଦୁର୍ଘଟଣା ରୋକିବାକୁ ତାଲିମ ଦିଆଯାଇଛି । କାହିଁକି ଘଟୁଛି ଦୁର୍ଘଟଣା, ଏଥିପାଇଁ ଦାୟୀ କିଏ ଭଳି ଦିଗର ତଦନ୍ତ କରିବା ସହ ସର୍ବାଙ୍ଗୀନ ତଦନ୍ତ  ସହ ପଦକ୍ଷେପ ନେବାକୁ  ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ୩ଟି ପର୍ଯ୍ୟାୟରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ତାଲିମ ଦିଆଯିବ। ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଛା ବଛା କିଛି ପୋଲିସ ଓ ପରିବହନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପୋଲିସ  ଡିଜି, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ,ପରିବହନ କମିଶନର, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.