ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ

ବାଲେଶ୍ବର: ଶିକ୍ଷାରେ ଆଗୁଆ ଜିଲ୍ଲା କୁହାଯାଇଥିବା ବାଲେଶ୍ବରରେ ବି ମାଳମାଳ ନକଲି ଶିକ୍ଷକ। କିଏ ଶିକ୍ଷାଗତ ଯୋଗ୍ୟତାରେ ତ କିଏ ଦିବ୍ୟାଙ୍ଗ ଓ ଜାତିଗତ ଜାଲ ପ୍ରମାଣପତ୍ର ହାତେଇ ଶିକ୍ଷକତା କରୁଛନ୍ତି। ସରକାରଙ୍କ ପକ୍ଷରୁ ନକଲି ଶିକ୍ଷକ ଚିହ୍ନଟ ପାଇଁ ବାରମ୍ବାର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଆସୁଥିଲେ ହେଁ କେବଳ ନାଁକୁ ମାତ୍ର ଯାଞ୍ଚ୍‌ କରାଯାଉଛି। ଏପରିକି ଗତ ୭/୮ ବର୍ଷ ପୂର୍ବରୁ ହୋଇଥିବା ଯାଞ୍ଚ୍‌ ରିପୋର୍ଟ ପୁଣିଥରେ ନୂଆ ରିପୋର୍ଟରେ ଯୋଡ଼ି ସରକାରଙ୍କୁ ପ୍ରଦାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୦, ୩୯୫। ୨୦୧୧-୧୨ ମସିହାରେ ବାଲେଶ୍ବର ଜିଲ୍ଲାରେ ବିପୁଳ ସଂଖ୍ୟାରେ ନକଲି ଶିକ୍ଷକ ଭର୍ତ୍ତି ହୋଇଥିବା ଅଭିଯୋଗ ଆସିଥିଲା। ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ବିଧାନସଭାର ଏକ ଅଧିବେଶନରେ ବାଲେଶ୍ବର ଜିଲ୍ଲାରେ ନକଲି ଶିକ୍ଷକଙ୍କ ପ୍ରସଙ୍ଗ ଉଠିବା ପରେ ତତ୍କାଳୀନ ଜିଲ୍ଲାପାଳ ସନାତନ ମଲ୍ଲିକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ତତ୍‌ସଂକ୍ରାନ୍ତୀୟ ଯାଞ୍ଚ୍‌ କରାଇଥିଲେ। ଏଥିରେ ୧୦ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ସମ୍ପୃକ୍ତ ଶିକ୍ଷକମାନେ ହେଲେ ବାଲେଶ୍ବର ସଦର ବ୍ଲକ ହେମଲତା ନୋଡାଲ ସ୍କୁଲର ଜନ୍ମେଜୟ ବେହେରା, ବାଲିଆପାଳ ବ୍ଲକ ଶଙ୍ଖୁଆ ନୋଡାଲ ୟୁପି ସ୍କୁଲର ଝାଡ଼େଶ୍ବର ଦାସ ଓ ରାୟପୁର ୟୁଜିୟୁପି ସ୍କୁଲର ଗୀତା ସେଠୀ, ଜଳେଶ୍ବର ବ୍ଲକ ଖଲିନା ନୋଡାଲ ୟୁପି ସ୍କୁଲର ଝାଡ଼େଶ୍ବର ସେଠୀ, ବାହାନଗା ବ୍ଲକ ବଳରାମପୁର ସିଏସ ୟୁପି ସ୍କୁଲର ସୀତାନାଥ ମହାପାତ୍ର, ରେମୁଣା ବ୍ଲକ ବୋଇତବାଙ୍କ ୟୁଜିୟୁପି ସ୍କୁଲର ମୁରଲୀଧର ଦାସ, ଭୋଗରାଇ ବ୍ଲକ ଖଳାବାଡ଼ିଆ ୟୁଜିୟୁପି ସ୍କୁଲର ସ୍ବୟଂପ୍ରଭା ବେହେରା, ନୀଳଗିରି ବ୍ଲକ ବାଲିଗୋହିରୀ ପ୍ରାଇମେରି ସ୍କୁଲର ସୀତାଞ୍ଜଳି ସେଠୀ, କାଠପାଳ ୟୁଜିୟୁପି ସ୍କୁଲର କରୁଣାକର ସ୍ବାଇଁ ଓ ମୁଣ୍ଡଘୁସରସାହି ୟୁଜିୟୁପି ସ୍କୁଲର ପରେଶ କୁମାର ପରିଡ଼ାଙ୍କୁ ଜିଲ୍ଲାପାଳ ୨୦୧୫ ଏପ୍ରିଲ ୧୭ ତାରିଖରେ କାର୍ଯ୍ୟରୁ ଅନ୍ତର କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଏଠାରୁ ବଦଳି ହୋଇଥିଲେ।

Leave A Reply

Your email address will not be published.