ସ୍ମାର୍ଟସିଟି ବସ୍ତିରେ ବିକ୍ରି ହେଉଛି ପାଣି

ରାଉରକେଲା : ବୋତଲ ଓ ପାଉଚ୍‌ରେ ପାଣି ବିକ୍ରିହେବା ଏକ ସମୟରେ କଳ୍ପନା କରି ହେଉ ନଥିଲେ ହେଁ ବର୍ତ୍ତମାନ ତାହା ସାଧାରଣ ହୋଇ ଯାଇଛି। ତେବେ ବୋରିଂ କରି ବା ଅନ୍ୟ ଉପାୟରେ ଟାଙ୍କିରେ ଜମାକରି ପିଇବା ପାଣି ବିକ୍ରିହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ପାଣି କିଣିବାକୁ ଇଚ୍ଛୁକ ଗ୍ରାହକ ନିଜ ଖର୍ଚ୍ଚରେ ନିଜ ଘରକୁ ପାଇପ୍‌ ‘କନେକ୍ସନ’ ନେଇଛନ୍ତି ଓ ସେହି ପାଇପ୍‌ ବାଟେ ପାଣି ବିକାଳି ପାଉଣା ଅନୁସାରେ ନିର୍ଦ୍ଦଷ୍ଟ ସମୟରେ ପାଣି ଛାଡୁଛନ୍ତି। ତା’ର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦର ରଖା ଯାଇଛି- ମିନିଟ୍ ପିଛା ପାଣି ଯୋଗାଣର ମୂଲ୍ୟ ୨-୩ ଟଙ୍କା। ପରିଚିତ ଓ ପୁରୁଣା ବା ନିୟମିତ ଗ୍ରାହକଙ୍କ ପାଇଁ ଅଲଗା ମାସିକ ଦର ରହିଛି। ଏଭଳି ଦୃଶ୍ୟ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି ରାଉରକେଲାର ଅନେକ ବସ୍ତିରେ। ଆଧୁନିକ ଇସ୍ପାତସହରର ଚାକଚକ୍ୟ ଓ ବିଶ୍ବସ୍ତରୀୟ ସ୍ମାର୍ଟସିଟି ସ୍ବୀକୃତିର ଆଢ଼ୁଆଳରେ ପିଇବା ପାଣି ଭଳି ମୌଳିକ ଆବଶ୍ୟକତା ଆଜିମଧ୍ୟ ସାଧାରଣ ଲୋକଙ୍କ ପାଇଁ କିଭଳି ଅପହଞ୍ଚ ହୋଇ ରହିଛି, ତାହା ପ୍ରମାଣିତ ହେଉଛି। ଖରା ବଢ଼ିବା ସହିତ ଇସ୍ପାତ ସହରର ଜଳ କଷ୍ଟ ମଧ୍ୟ ବଢ଼ିବାରେ ଲାଗିଛି। ଖରା କଷ୍ଟଠାରୁ ଜଳ କଷ୍ଟ ବଳି ଯାଉଛି। ବିଶେଷକରି ରାଉରକେଲାର ଅନେକ ବସ୍ତିରେ ଏ ସମସ୍ୟା ଟାଣଖରାରେ ପୂର୍ବ ଅପେକ୍ଷା ଆହୁରି ଜଳଜଳ ହୋଇ ସ୍ପଷ୍ଟ ଦିଶୁଛି। ରାଉରକେଲା ମହାନଗରର ୧୩ ନମ୍ବର ଓ୍ବାର୍ଡକୁ ଏକ ଉଦାହରଣ ରୂପେ ନିଆ ଯାଇପାରେ। ଏହି ଓ୍ବାର୍ଡରେ ଟିମ୍ବର କଲୋନି, ଗୋପବନ୍ଧୁପାଲି, ଆନନ୍ଦଧାମ ବସ୍ତି, ଚନେୟା ବସ୍ତି, ଲୋହରାପଡ଼ା ବସ୍ତି, ବଙ୍ଗାଳୀପଡ଼ା ଓ ତେଲିପଡ଼ା ଆଦି ବସ୍ତି ରହିଛି। ଏଗୁଡ଼ିକରେ ୨୦ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ସମସ୍ତେ ପାଣି ଟିକକ ପାଇଁ ଡ଼ହଳବିକଳ ହେଉଛନ୍ତି। ଏହାର ସୁଯୋଗ ନେଇ କିଛି ଲୋକ ବୋରିଂ କରି ଆଖପାଖରେ ରହୁଥିବା ଲୋକଙ୍କ ଘରକୁ ପାଣି ଯୋଗାଣ କରୁଛନ୍ତି। ଏହିସବୁ ବସ୍ତି ଅଞ୍ଚଳରେ ବର୍ତ୍ତମାନ ୧୦ରୁ ଅଧିକ ଲୋକ ଏଭଳି ପାଣି ବ୍ୟବସାୟ କରୁଥିବାର ଜଣା ପଡ଼ିଛି। କେବଳ ଚଳିତ ବର୍ଷ ନୁହେଁ, ଅନେକ ବର୍ଷ ତଳୁ ଏହି ବସ୍ତିଗୁଡ଼ିକରେ ଏଭଳି ପାଣି ବ୍ୟବସାୟ ଚାଲିଛି। କିନ୍ତୁ ପ୍ରଶାସନ ପାଣି ସମସ୍ୟାର ସମାଧାନ କରି ପାରିନାହିଁ। ଏହା ଭିତରେ ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇଲାଣି। କିନ୍ତୁ ପାଣିକୁ ନେଇ ବସ୍ତିଗୁଡ଼ିକର ଡ଼ହଳବିକଳ ଏବେ ମଧ୍ୟ ଶେଷ ହୋଇନାହିଁ। ଅନ୍ୟପକ୍ଷରେ ଲୋକଙ୍କର ଆବଶ୍ୟକତା ଥିବାରୁ ପାଣି ବିକ୍ରିକୁ ଏକ ଅପରାଧ ବୋଲି କହି ହେବନାହିଁ।

Leave A Reply

Your email address will not be published.