କମୁଛି ଭୂତଳ ଜଳ, କୋରାପୁଟ ପାଇଁ ସତର୍କ ଘଣ୍ଟି

କୋରାପୁଟ: କୋରାପୁଟ ଜିଲ୍ଲାରେ ଗୁରୁତର ଭାବେ ହ୍ରାସ ପାଉଛି ଭୂତଳ ଜଳସ୍ତର । ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ଜଳ ସଂକଟ ଦେଖାଦେବା ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ କୋଲାବ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଜୟପୁର, କୋରାପୁଟ, ଦାମନଯ‌ୋଡି, ସେମିଳିଗୁଡା ଓ ସୁନାବେଢାରେ ଦେଖାଦେବ ସଂଘାତିକ ପାନୀୟ ଜଳ ସମସ୍ୟା। ଏନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଜିଲ୍ଲାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବା ସହ ଜଳସ୍ତର କିପରି ବୃଦ୍ଧି ପାଇବ ସେ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ମନେ ହେଉଛି। କୋରାପୁଟ ଜିଲ୍ଲାରେ ୨୦୦୨ରେ ବର୍ଷାଦିନେ ଭୂତଳ ଜଳ ୨୦ରୁ ୩୦ ଫୁଟରେ ବାହାରୁଥିବାବେଳେ ୨୦୨୨ରେ ଏହା ୭୦ ଫୁଟରେ ପହଞ୍ଚିଲାଣି। ଖରାଦିନେ ଭୂତଳ ଜଳ ୨୫୦ ଫୁଟରେ ବାହାରୁଥିବା ମେ ମାସରେ ଏହା ୩୨୦ ଫୁଟରେ ପହଞ୍ଚିଥିବା ଜଣାପଡିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ୪ଟି ସହରାଞ୍ଚଳରେ ଖରାଦିନେ ପାଣି ପାଇଁ ଡହଳ ବିକଳ ହୋଇଥାନ୍ତି ଲୋକେ । ସହରରେ ଯେମିତିସେମିତି ଚଳି ଯାଉଥିଲାବେଳେ ମଫସଲରେ ମାଇଲ ମାଇଲ ବାଟ ଯାଇଥାନ୍ତି ପାଣି ପାଇଁ । ଏପରିକି ଚୁଆ କରି ପାଣି ସଂଗ୍ରହ କରିଥାନ୍ତି ଲୋକେ । ଏଭଳି ପରିସ୍ଥିତିରେ ଆଗକୁ କଣ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟର ସବୁଠୁ ଧନୀ ଜିଲ୍ଲା ଭାବେ ପରିଚିତ ଆଗକୁ ମିଳିବନି ମୁନ୍ଦାଏ ପାଣି । ପାଣି ପାଇଁ ଏଠି ଜନତାଙ୍କ ମଧ୍ୟରେ ଲାଗିବ ମାରପିଟ । କୋରାପୁଟ ଜିଲ୍ଲାରେ ଖଣି ଖାଦାନ ଯୋଗୁଁ ଭୁତଳ ଜଳସ୍ତର ହ୍ରାସ ପାଉ ଥିବା ବେଳେ ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପ ଗୁଡିକ ବେଆଇନ ଭାବେ ଭୁତଳ ଜଳକୁ ନିଜ ବ୍ୟବହାରରେ ଲଗାଉଥିବା ବେଳେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଜଳ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଭୁତଳ ଜଳର ବ୍ୟବହାର ଉପରେ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ କୋରାପୁଟରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲାର ଦଶମନ୍ତପୁର, ପଟାଙ୍ଗୀ, ନନ୍ଦପୁର, ବୈପାରିଗୁଡା, ବୋରିଗୁମ୍ମା, ଲକ୍ଷ୍ମୀପୁର, ସେମିଳିଗୁଡା, କୁନ୍ଦୁରାବ୍ଲକର କିଛି ଅଞ୍ଚଳ ସହ ନାରାୟଣପାଟଣା, ବନ୍ଧୁଗାଁ ବ୍ଲକ ଓ ଦାମନଯୋଡି ସହରାଞ୍ଚଳରେ ଜଳ ସଂକଟ ଉଦବେଗ ଜନକ ।

Leave A Reply

Your email address will not be published.