ବିବାଦ ଭିତରେ ଆଜି ସରିବ ମାଟ୍ରିକ ପରୀକ୍ଷା

ଯାଜପୁରସଦର/ଦଶରଥପୁର : ଏପ୍ରିଲ ୨୯ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହେବ। କିନ୍ତୁ ପରୀକ୍ଷା ସରିବାକୁ ବସିଥିବା ବେଳେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂପର୍କରେ ଶିକ୍ଷା ବିଭାଗ ପାଖରେ ସଠିକ ଖବର ନରହିବା ଶିକ୍ଷା ବିଭାଗର ବିଗିଡା ଚିତ୍ରକୁ ପଦାରେ ପକାଇଛି। ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାଇଁ ୨୬୬୫୯ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ। ସେମାନଙ୍କ ପାଇଁ ୧୬୧ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଥିଲା। କିନ୍ତୁ ପରୀକ୍ଷା ଆରମ୍ଭ ପରେ ଏବେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶିକ୍ଷା ବିଭାଗର ଅକଲ ଗୁଡୁମ କରିଛି। ଜିଲ୍ଲାରେ ଆଜିର ପରୀକ୍ଷାରେ ୧୬୮୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ବଡଚଣାରେ ୨୩୮, ବରୀରେ ୭୭, ବିଂଝାରପୁରରେ ୧୭୫, ଦାନଗଦୀରେ ୧୧୮, ଦଶରଥପୁରରେ ୧୯୫, ଧର୍ମଶାଳାରେ ୧୭୬, ଯାଜପୁରରେ ୧୪୮, କୋରେଇରେ ୨୫୬ , ରସୁଲପୁରରେ ୮୦ ଓ ସୁକିନ୍ଦାରେ ୨୨୩ ଜଣ ଅନୁପସ୍ଥିତ ରହିଛନ୍ତି। ଏପ୍ରିଲ୨୯ ତାରିଖରେ ୧୬୫୫ଜଣ, ଏପ୍ରିଲ ୩୦ ତାରିଖରେ ୧୬୪୫ଜଣ, ମେ ୪ ତାରିଖରେ ୧୬୮୩ ଓ ମେ ୫ ତାରିଖରେ ୧୭୦୯ ଜଣ ଅନୁପସ୍ଥିତ ରହିଛନ୍ତି। ଏହି ଅନୁପସ୍ଥିତ ସଂଖ୍ୟା ପ୍ରତ୍ୟେକ ଦିନ ପରିବର୍ତ୍ତନ ହେଉଛି। ବାସ୍ତବରେ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ ନା ସରକାରୀ ଯୋଜନାକୁ ହଡ଼ପ କରିବା ପାଇଁ ଏପରି କରାଯାଇଛି ସେ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ପୂର୍ବ ବର୍ଷ ଗୁଡିକରେ ଜିଲ୍ଲାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ସଂଖ୍ୟା ୫ଶହରେ ସୀମିତ ରହୁଥିବା ବ‌େଳେ ଏବେ ଏହା ୧୭ଶହ ଡେଇଁଛି ।

Leave A Reply

Your email address will not be published.