୫ମାସ ପରେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଭର୍ତ୍ତିହେଲେ ରୋଗୀ

କଟକ : ୫ମାସ ହେଲା ଖାଲି ପଡ଼ିଥିଲା ଏସ୍‌ସିବି ଏକ୍‌ମୋ ୟୁନିଟ୍‌। ବୁଧବାର ଦିନ ନିମୋନିଆରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉକ୍ତ ମହିଳାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯିବାପରେ ତାଙ୍କର ଚିକିତ୍ସା ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଆରମ୍ଭ ହୋଇଛି। ମହିଳାଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ଅଞ୍ଚଳର ଓ ସେ ଜଣେ ‘ନନ୍‌ କୋଭିଡ୍‌’ ରୋଗୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ସମୟରେ ରାଜ୍ୟ ସରକାର ଏହି ୯ଟି ଏକ୍‌ମୋ ମେସିନ୍‌ କିଣିଥିଲେ। ପ୍ରଥମରୁ ‌କେବଳ କେତେଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବା ପରେ ଏହି କୋଟି କୋଟି ଟଙ୍କାର ମେସିନ୍ ଆଉ ବ୍ୟବହାର ‌ନହୋଇ ପଡ଼ିରହିଛି। ଏପରିକି କେଉଁ ରୋଗରେ ଓ କେଉଁ ରୋଗୀଙ୍କୁ ଏକ୍‌ମୋ ଚିକିତ୍ସା ଦରକାର ଓ ଡାକ୍ତର ତାଙ୍କୁ କେଉଁ ପ୍ରକ୍ରିୟାରେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌କୁ ରେଫର୍‌ କରିବେ ସେ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି କି ଡାକ୍ତରମାନଙ୍କୁ ସଚେତନ କରାଯାଇନି। ଏହି ଏକ୍‌ମୋ ୟୁନିଟ୍‌ ପାଇଁ ୩ ଜଣ ବିଶେଷଜ୍ଞ ଡାକ୍ତର, ୪ଜଣ ନିଶ୍ଚେତକ ବିଶେଷଜ୍ଞ ଓ ୭ଜଣ ପରଫ୍ୟୁଜିନିଷ୍ଟ ନିଯୁକ୍ତ ହୋଇଛନ୍ତି। ଅନ୍ୟପଟେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଏଯାଏ ୧୧ ଜଣ ଚିକିତ୍ସିତ ହୋଇଥିବାବେ‌ଳେ ସମସ୍ତଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.