ବିଜେପି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ଆନ୍ନା ହଜାରେ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାହାରିଛି ଟିମ୍ ଆନ୍ନା। ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ ସମାଜସେବୀ ଆନ୍ନା ହଜାରେଙ୍କ ଟିମ୍ ଆନ୍ଦୋଳନ କରିବ ବୋଲି ଅନ୍ନାଙ୍କର ସେକ୍ରେଟାରୀ କଳ୍ପନା ଇନାମଦାର ସୂଚନା ଦେଇଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଦନ କରି ଏହି ସୂଚନା ଦେଇଛନ୍ତି କଳ୍ପନା। ମୋଦୀ ଦୁଇଥର ବହୁମତରେ ନିର୍ବାଚନ ଜିତିଥିବା ବେଳେ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ବିଫଳ ହୋଇଛନ୍ତି ବୋଲି କଳ୍ପନା କହିଛନ୍ତି। ରାଷ୍ଟ୍ରୀୟ କିଶାନ ମଞ୍ଚ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଯୋଗ ଦେଇ କଳ୍ପନା କହିଥିଲେ ଯେ ଭ୍ରଷ୍ଟାଚାର ଓ ଅସମାନତା ଜାଲରେ ଫସିଥିବା ଲୋକମାନେ ୨୦୧୧ରେ ଆନ୍ନାଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଯାହାର ପରିଣାମ ସ୍ୱରୂପ କଂଗ୍ରେସକୁ ହରାଇ ବିଜେପି କ୍ଷମତାକୁ ଆସିଲା। ହେଲେ ଗତ ୮ ବର୍ଷ ହେଲା ବିଜେପି କାର୍ଯ୍ୟକାଳରେ ଦେଶରେ ଗ୍ରାମାଞ୍ଚଳରେ ସ୍ଥିତି ଶଚୋନୀୟ ହୋଇପଡ଼ିଛି। ଦେଶରେ ଭ୍ରଷ୍ଟାଚାର ବଢ଼ିଛି। ଶିଳ୍ପପତିମାନେ ଗାଁରେ ସମ୍ପତ୍ତି ଲୁଟ୍ କରିବାରେ ଲାଗିଛନ୍ତି। କିନ୍ତୁ ସରକାର ସବୁ ଦେଖି ନିରବ ଦ୍ରଷ୍ଟା ସାଜିଛନ୍ତି ବୋଲି କଳ୍ପନା କହିଛନ୍ତି। ଅନ୍ନା ଅନେକ ଥର ଚିଠି ଲେଖିବା ପରେ ବି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଯୋଜନା ସବୁକୁ କାହିଁକି ତୃଣମୂଳସ୍ତରରେ ଲାଗୁ କରାଯାଉ ନାହିଁ ତାହା ବୁଝାପଡ଼ୁ ନାହିଁ। ଯଦି ମୋଦୀ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ ନ କରନ୍ତି ତେବେ ତାଙ୍କୁ କ୍ଷମତା ବିଚ୍ୟୁତ କରିବାକୁ ଅନ୍ନା ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଳ୍ପନା କହିଛନ୍ତି।  

Leave A Reply

Your email address will not be published.