ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର

ରାଉରକେଲା ୧୪।୧୧ :  ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର । ରାଉରକେଲା ସ୍ୱତନ୍ତ୍ର ଟିମ୍‌ ପକ୍ଷରୁ ଏହି ଏନ୍‌କାଉଣ୍ଟର ହୋଇଛି । ହତ୍ୟା ଅଭିଯୁକ୍ତ ଚୁମୁକୁ ଓରାମ ଓରଫ ଅଜିତ ଓରାମଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଛି । ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପିସ୍ତଲ ସହ ତିନୋଟି ଜୀବନ୍ତ ଗୁଳି ଜବତ ହୋଇଛି । ଖବର ଅନୁଯାୟୀ, ସରକାରୀ ଜମି ବିବାଦକୁ ନେଇ ରବିବାର ସକାଳ ଝିରିପାଣି ଥାନା ଝରିଆ ଟୋଲିରେ ଗୁଳିମାଡ଼ ହୋଇଥିଲା । ଏହି ଗୁଳିମାଡ଼ରେ ଠିକାଦର ବାଞ୍ଛାନିଧିଙ୍କର ମୃତ୍ୟୁ ହୋଇଥିଲା । ଏହାପରଠୁ ଅଭିଯୁକ୍ତ ଅଜିତ ଓରାମ ଫେରାର ରହିଥିଲା । ତାକୁ ଧରିବା ପାଇଁ ରାଉରକେଲା ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଏହିକ୍ରମରେ ସୋମବାର ଭୋର ସମୟରେ ଅଭିଯୁକ୍ତ ହାତିବନ୍ଧ ଜଙ୍ଗଲରେ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା ।  ପୋଲିସକୁ ଦେଖି ହତ୍ୟା ଚୁମୁକୁ ଗୁଳି ଚାଳନା କରିଥିଲା । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଏଥିରେ ସେ ଗୁରୁତର ହୋଇଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.