୨୦୨୩ ଚୀନ୍‌କୁ ଟପିବ ଭାରତ, ୮୦୦ କୋଟି ଟପିବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ,୧୫/୧୧: ବିଶ୍ୱରେ ଲଗାତାର ଭାବେ ବଢ଼ି ଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ଏଭଳି ସ୍ଥିତିରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଶ୍ୱ ଜନସଂଖ୍ୟା ୮୦୦ କୋଟିକୁ ଟପିଯିବ । ଜାତିସଂଘ ଏହି ସୂଚନା ଦେଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ମାନବ ବିକାଶରେ ଏହା ଏକ ମାଇଲଖୁଣ୍ଟ ହେବାକୁ ଯାଉଛି । ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁସାରେ ବର୍ତ୍ତମାନ ବିଶ୍ୱରେ ଯେଉଁ ଅନୁପାତରେ ଜନସଂଖ୍ୟା ବଢ଼ି ଚାଲିଛି ଆଗାମୀ ୨୦୩୦ ବେଳକୁ ତାହା ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଏବଂ ୨୦୮୦ ବେଳକୁ ୧୦୪୦ କୋଟିରେ ପହଞ୍ଚିବ । ଏହା ପରେ ଜନସଂଖ୍ୟାରେ ସ୍ଥିରତା ଆସିବ । ୨୧୦୦ ମସିହା ପର୍ଯ୍ୟନ୍ତ ଏହି ସଂଖ୍ୟା ସ୍ଥିର ରହିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ଭିତରେ ଅଧାରୁ ଅଧିକ ଜନସଂଖ୍ୟା ବୃଦ୍ଧି ବିଶ୍ୱର ୮ଟି ଦେଶରେ ଦେଖିବାକୁ ମିଳିବ। ଏସବୁ ଦେଶ ମଧ୍ୟରେ ରହିଛି ଭାରତ, କଙ୍ଗୋ, ମିଶର, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ। ଜନସଂଖ୍ୟା ବୃଦ୍ଧି ଯୋଗୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଲାଗି ଯେଉଁ ଉଦ୍ୟମ କରାଯାଉଛି ତାହା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.