ଦୁର୍ବଳ ହେଲା ବାତ୍ୟା ୟାସ୍, ରାଜ୍ୟରେ ଜାରି ରହିବ ବର୍ଷାର ପ୍ରଭାବ

ସାମୁଦ୍ରିକ ଝଡ ୟାସ୍ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଝାଡ଼ଖଣ୍ଡ ମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ସେହି ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୟାସ୍‌ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ସେହିପରି ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ୟାସ୍‌ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଶେଷତଃ ବାଲେଶ୍ବର ଓ ଭଦ୍ରକରେ ଜୁଆର ପାଣି ବହୁତ ଗାଁରେ ପଶିଛି। ବାହାନଗା, ରେମୁଣା, ବାଲେଶ୍ୱର ସଦର, ଧାମରାର କିଛି ଗାଁରେ ପାଣି ପଶିଛି। କିଛି ସ୍ଥାନରେ ପାଣି ଜମା ହୋଇରହିଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷତଃ ବାଲେଶ୍ବରର ନୀଳଗିରିରେ ଅନେକ ଗଛ ଉପୁଡି ପଡିଛି ।

Leave A Reply

Your email address will not be published.