ନୂଆଦିଲ୍ଲୀ: ଆମେରିକାର ଟିକା କମ୍ପାନୀ ଫାଇଜର ଏବଂ ଜନସନ ଭାରତରେ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଅନୁମତି ମାଗିବେ। ଏଥିପାଇଁ ଦୁଇ ଟିକା କମ୍ପାନୀ ଆବେଦନ କରିବାର ପୂର୍ବ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତକାଲି ଆମେରିକା କହିଥିଲା ଭାରତକୁ ଟିକା ପଠାଇବା ପାଇଁ ରାଜି ଅଛି। ହେଲେ କେନ୍ଦ୍ର (ଭାରତ) ସରକାର ଗ୍ରୀନ ସିଗନାଲ ଦେଖାଇନଥିବାରୁ ଟିକା ଦେବାରେ ଅସୁବିଧା ରହିଛି। ଆମେରିକର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ଏହା କହିଥିଲେ। ପରେ ଭାରତ କହିଥିଲା ଆମେରିକା ପଠାଇବାକୁ ଥିବା ଟିକା କମ୍ପାନୀ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରି ନାହାନ୍ତି। ତେଣୁ ଆମେରିକା ଟିକା ଆଣିବାରେ ସମସ୍ୟା ରହିଛି ବୋଲି ଭାରତ କହିଥିଲେ। ଏହାପରେ ଆଜି ଏକ ରିପୋର୍ଟ ଅନୁଯାୟୀ ଫାଇଜର ଏବଂ ଜନସନ ଟିକା ଅନୁମତି ମାଗିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ରହିଛି। ଆମେରିକା ଏବେ ବିଭିନ୍ନ ଦେଶକୁ ୮ କୋଟି ଟିକା ଦାନ କରିବ ବୋଲି କହିଛି। ଆମେରିକା କିଛି ଦେଶକୁ ଟିକା ବାଣ୍ଟିଥିବା ବେଳେ ଭାରତରେ ଥିବା ଆଇନଗତ ସମସ୍ୟା ପାଇଁ ଟିକା ପଠାଇପାରିନି ଆମେରିକା।