ଅଖିଳେଶ-ଜୟନ୍ତଙ୍କ ସହ ରାକେଶ ଟିକାୟତଙ୍କ ପୋଷ୍ଟର ନେଇ ଉତ୍ତେଜନା

ନୂଆଦିଲ୍ଲୀ, ଡିସେମ୍ବର ୧୫ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ  ବିଧାନସଭା ନିର୍ବାଚନକୁ ହେବ। ଏହି ନିର୍ବାଚନରେ ଚାଷୀ ଆନ୍ଦୋଳନକୁ ବିରୋଧୀମାନେ ପ୍ରସଙ୍ଗ କରିପାରନ୍ତି। ବିଗତ ଏକ ବର୍ଷ ମଧ୍ୟରେ ଚାଷୀ ନେତା ରାକେଶ ଟିକାୟତଙ୍କ ଲୋକପ୍ରିୟତା ବଢ଼ିଛି। ଏହି କାରଣରୁ ୫୮ ନମ୍ବର ଜାତୀୟ ରାଜପଥରେ ଅଖିଳେଶ ଯାଦବ ଓ ଜୟନ୍ତଙ୍କ ସହିତ ରାକେଶ ଟିକାୟତଙ୍କର ପୋଷ୍ଟର ଲଗାଇ ଦିଆଯାଇଛି।  ପୋଷ୍ଟରରେ ଲେଖାଯାଇଛି ଯେ, ହାରିଗଲା ଅଭିମାନ, ଜିତିଗଲା କିଷାନ। ଏହି ପୋଷ୍ଟରରେ ଅଖିଳେଶ ଯାଦବ ଦେଖାଯାଉଛନ୍ତି। ଆରଏଲଡି ନେତା ଜୟନ୍ତ ଚୌଧରୀ ମଧ୍ୟ ନଜରକୁ ଆସୁଛନ୍ତି। ମଝିରେ ତ୍ରିରଙ୍ଗା ନେଇ ଅଛନ୍ତି ରାକେଶ ଟିକାୟତ। ଏହି ପୋଷ୍ଟର ନେଇ ଭାରତୀୟ କିଷାନ ସଂଘର ମନୋମାଳିନ୍ୟ ଦେଖାଯାଇଛି। ଚାଷୀ ସଂଗଠନ ସ୍ପଷ୍ଟ କରିଦେଇଛି ଯେ, ତାଙ୍କର ନେତାଙ୍କ ଫଟୋକୁ ରାଜନୈତିକ ଲାଭ ଉଠାଇବା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ।  ଭାରତୀୟ କିଷାନ ସଂଘର କହିବା ଅନୁସାରେ ସେମାନେ ଏଭଳି ପୋଷ୍ଟର ଦେଖି ନାହାନ୍ତି। କିନ୍ତୁ ଏଭଳି‌ ପୋଷ୍ଟର ଲାଗିଥିଲେ ଏହା ରାଜନୈତିକ ଷ୍ଟଣ୍ଟ। ରାଜନୀତିରେ ଭାରତୀୟ କିଷାନ ସଂଘର କୌଣସି ନେଣ-ଦେଣ ନାହିଁ। କର୍ମକର୍ତ୍ତାଙ୍କ କହିବା ଅନୁସାରେ ସେମାନେ ଚାଷୀଙ୍କ କଲ୍ୟାଣ ପାଇଁ କାମ କରିବେ। ଯଦି କେହି ଭୋଟ ପାଇଁ ରାକେଶ ଟିକାୟତଙ୍କ ଫଟୋ ଲଗାଇଛି, ତା’ହେଲେ ଏହା ଅନୁଚିତ। କାରଣ ତାଙ୍କର ସଂଗଠନ ଅରାଜନୈତିକ ଅଟେ। ଏହି ପ୍ରସଙ୍ଗରେ ଅଖିଳେଶ ଯାଦବ ଅଥବା ଜୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ରାକେଶ ଟିକାୟତ ମଧ୍ୟ ଏନେଇ କୌଣସି ବୟାନ ଦେଇ ନାହାନ୍ତି।  

Leave A Reply

Your email address will not be published.