ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାତୁଣୀଙ୍କ ବିବାହ ରିସେପ୍‌ଶନରେ ପହଞ୍ଚିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଡିସେମ୍ବର ୨୧ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାତୁଣୀଙ୍କ ବିବାହର ରିସେପଶନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ରାଷ୍ଟ୍ରପତି ରାମାନଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ସମେତ ଗଣମାନ୍ୟ ନାଗରିକ ଓ ରାଜନୈତିକ ହସ୍ତିମାନେ ପହଞ୍ଚିଥିଲେ। ସବୁଠାରୁ ବଡ଼ କଥା ହେଲା ରାଜ୍ୟସଭାର ସମସ୍ତ ନିଲମ୍ବିତ ସାଂସଦ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।  ଉପରାଷ୍ଟ୍ରପତିଙ୍କ ନିବାସରେ ରିସେପ୍‌ଶନର ଆୟୋଜନ ଭେଙ୍କୟା ନାଇଡୁ ଓ ତାଙ୍କର ପତ୍ନୀ ଉଷା ନାଇଡୁ କରିଥିଲେ। ଦମ୍ପତିଙ୍କ ନାତୁଣୀ ନିହାରିକାଙ୍କ ବିବାହ ନିକଟରେ ରବିତେଜାଙ୍କ ସହିତ ହୋଇଥିଲା। ଭେଙ୍କୟା ନାଇଡୁଙ୍କ ପୁଅ ହର୍ଷବର୍ଦ୍ଧନ ମୁପ୍ପାଓରାପୁ ଓ ବହୂ ଦୀପା ଭେଙ୍କଟଙ୍କ ଝିଅ ହେଉଛନ୍ତି ନିହାରିକା।  ରିସେପ୍‌ଶନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜନୈତିକ ଦଳର ନେତା ଓ ବରିଷ୍ଠ ଅଧିକାରୀ ସାମିଲ ଥିଲେ। ସମାରୋହରେ ସାମିଲ ଅତିଥି ମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ଓ ଶୁଭକାମନା ଜଣାଇଥିଲେ।   

Leave A Reply

Your email address will not be published.