ପଂଜାବରେ ଚାଷୀ ଆନ୍ଦୋଳନ: ଏକାଧିକ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ, ଡିସେମ୍ବର ୨୧ : ପଂଜାବରେ ଋଣ ଛାଡ଼ ସମେତ ନିଜର ଏକାଧିକ ଦାବି ନେଇ ଚାଷୀ ମାନଙ୍କର ଆନ୍ଦୋଳନ ଜାରି ରହିଛି। ଏହାରି ଯୋଗୁଁ ଚାଷୀମାନେ ଅନେକ ସ୍ଥାନରେ ରେଳଷ୍ଟେସନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାଷୀ ଆନ୍ଦୋଳନ କାରଣରୁ ଅନେକ ଟ୍ରେନ୍‌ ବାତିଲ କରିଦିଆଯାଇଛି। ଏହା ବ୍ୟତୀତ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ମାତ୍ର ରେଳବାଇର ଅଧିକାରୀ ମାନେ ଆଶା କରିଛନ୍ତି ଯେ, ଡିସେମ୍ବର ୨୧ରୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇପାରେ। ପଂଜାବରେ କିଷାନ ମଜଦୂର ସଂଘର୍ଷ କମିଟି ଆନ୍ଦୋଳନର ଡାକରା ଦେଇଛି। ଏହାରି କାରଣରୁ ଚାଷୀମାନେ ଚାରିଆଡେ ଆନ୍ଦୋଳନ କରୁଛନ୍ତି। ଫିରୋଜପୁରରେ ଚାଷୀମାନେ ଧାରଣାକୁ ଅଧିକ ତୀବ୍ର କରିଛନ୍ତି। ଏହାରି କାରଣରୁ ଅନେକ ଟ୍ରେନ୍‌ ରଦ୍ଦ କରାଯାଇଛି। ସେହିପରି କଟରା, ଉଦ୍ଦମପୁର ଓ ଜମ୍ମୁ ତଭି ରେଳଷ୍ଟେସନରୁ ଚାଲୁଥିବା ଟ୍ରେନ୍‌ ରଦ୍ଦ କରାଯାଇଛି। ଜମ୍ମୁ ଓ ଅନ୍ୟ ଅଂଚଳରୁ ପାଖାପାଖି ୫୦୦୦ରୁ ୬୦୦୦ ଯାତ୍ରୀଙ୍କୁ ଦିଲ୍ଲୀ ଏବଂ ଅନ୍ୟ ସ୍ଥାନରୁ ଫେରିବାର ଥିଲା। ଅଧିକାଂଶ ବସ୍‌ ମାଧ୍ୟମରେ ଫେରୁଛନ୍ତି। ବାକି ଲୋକମାନେ ହୋଟେଲର ଆଶ୍ରୟ ନେଇଛନ୍ତି।   କାଠୁଆରେ ଟ୍ରେନ୍‌ ଯାତ୍ରୀମାନେ ଷ୍ଟେସନ ମାଷ୍ଟରଙ୍କ କୋଠରିକୁ ପହଞ୍ଚି ହଙ୍ଗାମା କରିଥିଲେ। ଯାତ୍ରୀମାନେ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟକୁ ଯିବାକୁ ଥିବା ଯାତ୍ରୀଙ୍କ ଲାଗି ରେଳର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ବିପରୀତ ସ୍ଥିତି ଦେଖାଯିବାରୁ ନିୟନ୍ତ୍ରଣ ପାଇଁ ଆରପିଏଫ୍‌ ମୁତୟନ କରାଯାଇଥିଲା। ଟ୍ରେନ୍‌ ସେବା ପ୍ରଭବିତ ହୋଇଥିବାରୁ ଯାତ୍ରୀଙ୍କର ଚିନ୍ତା ବଢ଼ି ଯାଇଥିଲା।

Leave A Reply

Your email address will not be published.