ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍‌

ଭୁବନେଶ୍ୱର, ଜାନୁଆରୀ ୦୭ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ୍ କରି ସେ ସୂଚନା ଦେଇଛନ୍ତି । ଶେଷ ୩ ଦିନରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।  ସେହିପରି ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ବିଟରରେ ସୂଚନା ପ୍ରଦାନ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ଦିଲ୍ଲୀପ ଆଇସୋଲେସନରେ ରହିଛନ୍ତି । ପୂର୍ବରୁ ମଧ୍ୟ ଦିଲ୍ଲୀପ ରାୟ ମାର୍ଚ୍ଚ ମାସ ୮ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ତେବେ ସେ ସଂକ୍ରମିତ ହେବା ପରେ ଟ୍ୱିଇଟ୍ କରି ସୁଚନା ଦେଇଛନ୍ତି ଯେ ତୃତୀୟ ଲହର ଆଗକୁ ଆସୁଥିବା ବେଳେ ଏହାକୁ ନେଇ ସତର୍କ ରହିବା ଆବଶ୍ୟକ । ରାଜ୍ୟରେ ଗତ କିଛି ଦିନ ହେଲା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୫୭୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।  ସେହିପରି ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୪୦୯ ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪୭୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । 

Leave A Reply

Your email address will not be published.