କରୋନାର ନୂଆ ଷ୍ଟ୍ରେନ୍‌ ‘ଡେଲ୍ଟାକ୍ରନ୍‌’ କେତେ ବିପଦ?

ନୂଆଦିଲ୍ଲୀ, ଜାନୁଆରୀ ୧୦ : କରୋନାର ନୂଆ ନୂଆ ପ୍ରାରୂପ ସାମ୍ନାକୁ ଆସୁଛି। ଏହାକୁ ନେଇ ମହାମାରୀ ଆହୁରି ଗଭୀର ସ୍ତରକୁ ଯାଉଛି। କରୋନା ଭାରଇରସ୍‌ର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାଇପ୍ରସ୍‌ର ଜଣେ ବୈଜ୍ଞାନିକ କରୋନାର ନୂଆ ଷ୍ଟ୍ରେନ୍‌ ଗବେଷଣାରେ ଖୋଜିଛନ୍ତି। ଏହା କରୋନାର ଡେଲ୍ଟା ଏବଂ ଓମିକ୍ରନ୍‌ର ମିଶ୍ରିତ ଭାରିଆଣ୍ଟ ବୋଲି କୁହାଯାଉଛି, ଯାହାର ନାମ ‘ଡେଲ୍ଟାକ୍ରନ୍‌’ ଦିଆଯାଇଛି। ଓମିକ୍ରନ୍‌ ଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତଗତିରେ ବ୍ୟାପିପାରୁ ଥିବା କରୋନା ଭାରିଆଣ୍ଟ ବୋଲି କୁହାଯାଉଛି। କିନ୍ତୁ ଡେଲ୍ଟା ଗତବର୍ଷ ଅନେକ ଦେଶରେ ତାଣ୍ଡବ ରଚିଥିଲା। ତେବେ ଏହି ଦୁଇ ଭାରିଆଣ୍ଟ ମିଶି ନୂଆ ଭାରିଆଣ୍ଟ ସୃଷ୍ଟି କରିଥିବାରୁ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।  ସାଇପ୍ରସର ଗବେଷକ ଏହି ସପ୍ତାହ ନିଜର ନିଷ୍କର୍ଷ GISAIDକୁ ପଠାଇଛନ୍ତି। GISAID ଏକ ଅନ୍ତରାଷ୍ଟ୍ରୀୟ ଡାଟାବେସ୍‌, ଯାହାକି ଭାଇରସକୁ ଟ୍ରାକ୍୍‌ କରିଥାଏ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସାଇପ୍ରସକୁ ଏପର୍ଯ୍ୟନ୍ତ ୨୫ ମାମଲା ମିଲିଛି। ମାତ୍ର କୌଣସି ଦେଶରେ ଏହାକୁ ନେଇ ସ୍ପଷ୍ଟ କରାଯାଇ ନାହିଁ। ସାଇପ୍ରସ ବିଶ୍ବବିଦ୍ୟାଳୟରେ ଜୈବ ପ୍ରଦ୍ୟୋଗିକୀ ଏବଂ ମଲିକୁଲାର ଭାଇରୋଲୋଜିର ପରୀକ୍ଷାଗାର ମୁଖ୍ୟ ଡ. ଲିୟୋନଡିଓସ କୋସ୍ତ୍ରିକ୍ରିସ କହିଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ମଧ୍ୟରେ ମ୍ୟୁଟେଶନର ଫ୍ରିକ୍ବେନ୍ସିଂ ଅଧିକ ଥିଲା ଏବଂ ଏହି ନୂଆ ଭାରିଆଣ୍ଟ ଏବଂ ହସ୍ପିଟାଲରେ ଭର୍ତ୍ତି ସଂପର୍କକୁ ସୂଚାଇଥାଏ।  ସେ କହିଛନ୍ତି ଯେ, ଏହି ନୂଆ ଭାରିଆଣ୍ଟର ଜେନେଟିକ ବ୍ୟାକଗ୍ରାଉଣ୍ଡ ଡେଲ୍ଟା ସହିତ ସମାନ। ଏଥି ସହିତ ଏଥିରେ ଓମିକ୍ରନ୍‌ର କିଛି ମ୍ୟୁଟେଶନ ମିଳିଛି। ସାଇପ୍ରସ୍‌ର ସ୍ବାସ୍ଥ୍ୟ ମନ୍ତ୍ରୀ ମିଖଲିସ ହଦୀପେଣ୍ଟେଲସ କହିଛନ୍ତି ଯେ, ନୂଆ ଭାରିଆଣ୍ଟକୁ ନେଇ ବର୍ତ୍ତମାନ କୌଣସି ପ୍ରକାରର ଚିନ୍ତାର ଆବଶ୍ୟକତା ନାହିଁ। 

Leave A Reply

Your email address will not be published.