ଭାରତ-ଚୀନ ମଧ୍ୟରେ ୧୪ତମ ପର୍ଯ୍ୟାୟର ଆଲୋଚନାରୁ ବାହାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଭାରତ ଓ ଚୀନ‌ ସେନା ମଧ୍ୟରେ ସୀମାରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ଶେଷ କରିବାକୁ ବାରମ୍ବାର ସେନା ଓ ବରିଷ୍ଠ ଅଧିକାରୀ ସ୍ତରରେ ଆଲୋଚନା ହେଉଛି। କିନ୍ତୁ ବୈଠକରୁ ସେମିତି କିଛି ଭଲ ଫଳ ମିଳିପାରୁ ନାହିଁ। ଉଭୟ ସେନା ମଧ୍ୟରେ ଗୁରୁବାର ହୋଇଥିବା ୧୪ତମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି। ତେଣୁ ଆଗାମୀ ଦିନରେ ପୁଣି ଏହାରି ଉପରେ ବୈଠକ ବସିବା ଆଶଙ୍କା ଉପୁଜିଛି। ଭାରତ-ଚୀନ ମଧ୍ୟରେ ପାଖାପାଖି ୧୩ ଘଣ୍ଟା ପର୍ଯ୍ୟନ୍ତ ଏହି ବୈଠକ ହୋଇଥିଲା। ଉଭୟ ଦେଶପକ୍ଷରୁ ଜାରି ହୋଇଥିବା ଯୁଗ୍ମ ବୟାନରେ କୁହାଯାଇଛି ଯେ, ବୈଠକରେ ଭାରତ ତରଫରୁ ହଟ ସ୍ପ୍ରିଙ୍ଗ, ଡେପ୍ସାଙ୍ଗ ଓ ଡେମଚୋକ ଅଞ୍ଚଳରେ ସୈନିକଙ୍କୁ ସଂପୂର୍ଣ୍ଣ ଭାବେ ଫେରାଇ ନିଆଯିବା ନେଇ ଜୋର ଦିଆଯାଇଛି। ବୟାନରେ କୁହାଯାଇଛି ଯେ, ଉଭୟ ପକ୍ଷ ପଶ୍ଚିମ ସେକ୍ଟର (ଲଦ୍ଦାଖ ସୀମା)ରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ସମ୍ବନ୍ଧ ପ୍ରସଙ୍ଗରେ ସମାଧାନ ଲାଗି ଆଲୋଚନା କରିଥିଲେ। ବୟାନରେ ଏହା ମଧ୍ୟ କୁହାଯାଇଛି ଯେ, ଉଭୟ ପକ୍ଷକୁ ଭାରତ-ଚୀନର ନେତୃତ୍ବ ଦ୍ବାରା ଉପଲବ୍ଧ କରାଯାଇଥିବା ଦିଶାନିର୍ଦ୍ଦେଶର ପାଳନ କରିବା ଉଚିତ ଏବଂ ଯଥାଶୀଘ୍ର ଏହାର ସମାଧାନ ହେବା ଦରକାର।  ଯୁଗ୍ମ ବୟାନରେ କୁହାଯାଇଛି ଯେ, ପଶ୍ଚିମ ସେକ୍ଟରରେ ଏଲଏସି ଉପରେ ଶାନ୍ତି ଓ ସ୍ଥିରତା ଆଣିବାରେ ସାହାଯ୍ୟ ମିଳିବ ଏବଂ ଦ୍ବିପାକ୍ଷୀକ ସଂପର୍କରେ ଉନ୍ନତି ଘଟିବ। ଉଭୟ ପକ୍ଷ ସୁରକ୍ଷା ପାଇଁ ଉଦ୍ୟମ କରିବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା।

Leave A Reply

Your email address will not be published.