ବନ୍ଦେ ଭାରତ ଟ୍ରେନ ଓଡ଼ିଶାରେ ନିଶ୍ଚୟ ଚାଲିବ 

ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡ଼ିଶାକୁ ଏହି ଅନୁଦାନ ଇତିହାସରେ ସର୍ବାଧିକ । ୟୁପିଏ ସରକାର ତୁଳନାରେ ଓଡ଼ିଶାକୁ ୧୦ଗୁଣ ଅଧିକ ଅନୁଦାନ ମିଳିଛି । ଓଡ଼ିଶାକୁ ୯୭୨୩ କୋଟି ଟଙ୍କାର ଅନୁଦାନ ରେଳବିକାଶ ପାଇଁ ମୋଦୀ ଦେଇଛନ୍ତି । ଏଣିକି ପ୍ରକଳ୍ପ ପାଇଁ ଆଉ ରହିବିନି ପାଣ୍ଠିର ଅଭାବ । ଅଧିକ ଜମି ମିଳିଲେ ପ୍ରକଳ୍ପ କାମ ଆଗେଇ ଚାଲିବ । ଜମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ୨୦୧୪ରୁ ୧୯ ମଧ୍ୟରେ ପୂର୍ବ ସରକାର ଓଡ଼ିଶାକୁ ଯେଉଁ ରେଳବଜେଟ ଦେଉଥିଲେ ତାହାର ୪ ଗୁଣା ଅଧିକ ବଜେଟ ଦେଲେ ମୋଦୀ ସରକାର । ପ୍ରତ୍ୟେକ ବର୍ଷ ହାରାହାରି ୪୧୨୬ କୋଟି ଟଙ୍କାର ବଜେଟ ଏହି ସମୟରେ ଓଡ଼ିଶାକୁ ମିଳିଥିଲା । ୨୦୧୯-୨୦ରେ ୪୫୬୮, ୨୦-୨୧ରେ ୫୨୯୬ କୋଟି, ୨୦୨୧-୨୨ରେ ୫୯୨୧ କୋଟି, କାମର ଗତି ଦେଖିବା ପରେ ଅତିରିକ୍ତ ୫୫୦ କୋଟି ପ୍ରଦାନ କରିଥିଲେ । ଏଥର ରେଳ ପାଇଁ ଓଡ଼ିଶାକୁ ରେକର୍ଡ ଅନୁଦାନ ଦେଇଛନ୍ତି । ନୂଆ ନୂଆ ପ୍ରକଳ୍ପ ପାଇଁ ମୋଦୀ ସରକାରଙ୍କ ପ୍ରବଳ ମାତ୍ରାରେ ଇଚ୍ଛାଶକ୍ତି ରହିଛି । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସବୁଠୁ ବଡ ଚ୍ୟାଲେଞ୍ଜ, ଏହାସତ୍ତେ୍ୱ ମଧ୍ୟ ବିଭିନ୍ନ ପ୍ରକଳ୍ପ ଆଗେଇ ଚାଲିଛି । ଉଭୟ ସରକାର ମିଶି କାମ କଲେ ଆହୁରି ଶୀଘ୍ର କାମ ହେବ ଏବଂ ନୂଆ ନୂଆ ପ୍ରକଳ୍ପ ମଧ୍ୟ ଆରମ୍ଭ ହେବ । ଅନୁଦାନ ଯୋଗାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ପ୍ରକଳ୍ପ ପାଇଁ ଆବଶ୍ୟକ ପାଣ୍ଠିର ଆଉ ଅଭାବ ରହିବନି । ପ୍ରକଳ୍ପ ପାଇଁ ସ୍ଥାନୀୟ ସମସ୍ୟା ଦୂର କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ରେଳମନ୍ତ୍ରୀ । ଏହାଛଡା ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନର ବିକାଶ ନିଶ୍ଚୟ ହେବ । ଅନେକ ଷ୍ଟେସନରେ କାମ ଜାରି ରହିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ଏହାର ଝଲକ ଦେଖିବାକୁ ମିଳିଲାଣି । ଭୁବନେଶ୍ୱର ରେଳ ଷ୍ଟେସନ ରୂପରେଖ ଏହା ଭିତରେ ବଦଳିିଛି । ଦିଲ୍ଲୀ ବିମାନବନ୍ଦରର ଟଏଲେଟ ଯେମିତି ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ସେମିତି ଟଏଲେଟର ସୁବିଧା ଯାତ୍ରୀଙ୍କୁ ଦିଆଯାଉଛି । କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ପାଇଁ ୫୦% ଜମି ଅଧିଗ୍ରହଣ ଶେଷ ସରିଛି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ କରିବା ପରେ ଏହି ପ୍ରକଳ୍ପ ଆଗକୁ ବଢିବ । ଏହାଛଡା ଯାତ୍ରୀ ଯେମିତି ଯାତ୍ରା ସମୟରେ ବିରକ୍ତ ହେବେନି ଓ ସୁବିଧାଜନକ ଯାତ୍ରା ପାଇପାରିବେ ସେଥିପାଇଁ ବନ୍ଦେ ଭାରତ ଯୋଜନାର ପରିକଳ୍ପନା । ଓଡ଼ିଶାରେ ମଧ୍ୟ ଖୁବଶୀଘ୍ର ବନ୍ଦେ ଭାରତ ଟ୍ରେନ ଚାଲିବ ।

Leave A Reply

Your email address will not be published.