ବାହାର ରାଜ୍ୟରେ ଫସିଛନ୍ତି ଦାଦନ ଶ୍ରମିକ

ପଦ୍ମପୁର ୧୫।୨: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଢେକିମୁଡ଼ା ଗ୍ରାମର ୬ ଜଣ ଦାଦନ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶ, ବିଜୟନଗରମ ଜିଲ୍ଲା, ପଦ୍ମନାଭମ ପୋଲିସ ଷ୍ଟେସନ, ବୋନି ଗ୍ରାମରେ ଫସିଛନ୍ତି ଏବଂ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରୁଛନ୍ତି । ଏହି ୬ ଜଣ ଶ୍ରମିକ ଦୁଇ ମାସ ପୂର୍ବରୁ ଇଟା ଗଢିବା ପାଇଁ  ଆନ୍ଧ୍ରପ୍ରଦେଶ ଯାଇଥିଲେ ହେଲେ ଏବେ ଭାଟି ମାଲିକ ସେମାନଙ୍କୁ ଗାଳିଗୁଲଜ କରୁଛି ଓ ଜୀବନରୁ ମାରିଦେବା ପାଇଁ  ଧମକ ଚମକ ଦେଉଛି । ତେଣୁ ସେମାନେ ଓଡ଼ିଶା ସରକାରଙ୍କୁ ଅନୁରୋଧ  କରିଛନ୍ତି, ଆମକୁ ଉଦ୍ଧାର କରିନିଆ, ନହେଲେ ଆମର ଏଠି ଜୀବନ ଯିବ । ଏହା କହି ହାତ ଯୋଡି ଗୁହାରି କରିଛନ୍ତି । ଦାଦନ ସମସ୍ୟା ପାଇକମାଲ ବ୍ଲକରେ ବଢ଼ିବାରେ ଲାଗିଛି । ଏ ବର୍ଷା ମରୁଡି ପାଇକମାଲ ଅଞ୍ଚଳରେ ହୋଇଛି ତେଣୁ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଯାଇସାରିଛନ୍ତି ଏବଂ ନିର୍ଯାତନାର ଶିକାର ହେଉଛନ୍ତି । ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ନେଉଛନ୍ତି ହେଲେ ସେଠି ପହଞ୍ଚିଲା ପରେ କିଛି ଦିନ କାମ କଲାପରେ ମାଲିକ ଶୋଷଣ କରୁଛି ଏବଂ ବିନା ଦରମାରେ କାମ କରାଉଛି । ସେମାନେ ନ ମାନିଲେ ମାଡ଼ପିଟ କରୁଛନ୍ତି ଓ ଜୀବନରୁ ମାରିଦେବାର ମଧ୍ୟ ନଜିର ରହିଛି । ତେଣୁ ଯେତେ ଶୀଘ୍ର ଏହି ଫସି ରହିଥିବା ୬ ଜଣ ଦାଦନଙ୍କୁ ଉଦ୍ଧାର କରାଯିବ ସେତେ ଭଲହେବ ଏବଂ ସେମାନଙ୍କ ଜୀବନ ବଞ୍ଚିଯିବ ।

Leave A Reply

Your email address will not be published.