‘ରେଡ୍ ହାର୍ଟ’ ଇମୋଜି ପଠାଉଥିଲେ ହୋଇଯାଆନ୍ତୁ ସାବଧାନ 

ରିୟାଦ ୧୭।୨: ଶବ୍ଦ ବଦଳରେ ଇମୋଜି ଜରିଆରେ ଭାବନାର ପରିପ୍ରକାଶ କରିବା ଏବେ ପୁରୁଣା ହୋଇଗଲାଣି । କିନ୍ତୁ ଏହାସହ ଜଡିତ ଆଇନ ମଧ୍ୟ ସେତିକି ସୁଦୃଢ ହେବାରେ ଲାଗିଛି ।  ପର୍ବ ପର୍ବାଣୀ ହେଉ କି ନିତିଦିନିଆ ହ୍ବାଟସଆପ୍ ରେ ଇମୋଜି ପଠାଇବା ସାଧାରଣ କଥା ହୋଇଗଲାଣି । ନିକଟରେ ଭାଲେଣ୍ଟାଇନ୍ ଡେ ଅବସରରେ ନିଜ ପାର୍ଟନର କିମ୍ବା ବନ୍ଧୁଙ୍କୁ ରେଡ୍ ହାର୍ଟ ଇମୋଜି ପଠାଇଥିଲେ ନିଶ୍ଚୟ । ଫେସବୁକ୍ ରେ କାହା ପୋଷ୍ଟର ଜବାବରେ ଏକ ରେଡ୍ ହାର୍ଟ ପ୍ରେସ୍ କରିଥିବେ ନିଶ୍ଚୟ । କିନ୍ତୁ ଯଦି ଆପଣ ପଶ୍ଚିମ ଦେଶ ବ୍ୟତୀତ ସାଉଦି ଆରବରେ ଅଛନ୍ତି, ତେବେ ଏହି ରେଡ୍ ହାର୍ଟ ଇମୋଜି କାହାକୁ ପଠାଇପାରିବେନି । ଯଦି ପଠାଇବେ ତେବେ ଆପଣଙ୍କ ପାଇଁ ତାହା ସମସ୍ୟା ସୃଷ୍ଟି କରିପାରେ । ପ୍ରକୃତରେ ସାଉଦି ଆରବରେ ସାଇବର ଆଇନ ବହୁତ କଡାକଡି । ଏହି ଦେଶରେ ଯଦି ଆପଣ ପରିବାରଲୋକ କିମ୍ବା ବନ୍ଧୁଙ୍କୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ । ଏହାସହ ୨୦ଲକ୍ଷ ଟଙ୍କା ଜରିମନା ଦେବାକୁ ପଡିପାରେ । ବିଶେଷ ପରିସ୍ଥିତିରେ ଦୁଇ ବର୍ଷ ଜେଲଦଣ୍ଡ ସହ ୨୦ ଲକ୍ଷ ଟଙ୍କା ଜରିମନା ଲଗାଯାଇପାରେ । ସାଉଦିର ସାଇବର ଏକ୍ସପର୍ଟଙ୍କ ଅନୁସାରେ, ସାଉଦି ଆଇନ ଅନୁଯାୟୀ ଯଦି ରେଡ୍ ହାର୍ଟ ଇମୋଜି ପଠାଉଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏନ୍ତି ତେବେ ତାଙ୍କୁ ୨ରୁ ୫ ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ଏହା ବ୍ୟତୀତ ଇମୋଜି ପଠାଉଥିବା ବ୍ୟକ୍ତିଙ୍କ ଉପରେ ଏକ ଲକ୍ଷ ସାଉଦି ରିୟାଲ ଜରିମନା ମଧ୍ୟ ଲଗାଯାଇପାରେ ।ସାଉଦିରେ ରେଡ୍ ହାର୍ଟ ଇମୋଜି ପଠାଇବାକୁ ଉତ୍ପୀଡନ ଆଇନ ଶ୍ରେଣୀରେ ରଖାଯାଇଛି । ନ୍ୟୁଜ୍ ୱେବସାଇଟ୍ ଗଲ୍ଫ୍ ନ୍ୟୁଜ୍ ଡଟ୍ କମ୍ ରେ ପ୍ରକାଶିତ ଖବର ଅନୁଯାୟୀ, ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କୁତବି କହିଛନ୍ତି ଯେ, ହ୍ବାଟସ୍ ଆପ୍ ରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ଉତ୍ପୀଡନ ଅପରାଧ । ସେ କହିଛନ୍ତି ଯେ, ଯଦି ଅନଲାଇନ୍ ଚାଟିଂ ସମୟରେ କୌଣସି ଫଟୋ କିମ୍ବା ଇମୋଜିକୁ ନେଇ କେହି ମାମଲା ରୁଜୁ କରନ୍ତି, ତେବେ ଏହା ଉତ୍ପୀଡନ ଅପରାଧ ଶ୍ରେଣୀରେ ଆସିବ।  ସାଉଦି ଆରବରେ ଏଭଳି ଅପରାଧ ପାଇଁ ଜିରୋ ଟଲେରନ୍ସ ନୀତି ରହିଛି।

Leave A Reply

Your email address will not be published.