ନୂଆ ନିୟମ ଜାରି କଲା ପରିବହନ ବିଭାଗ

ନୂଆଦିଲ୍ଲୀ,୧୭/୦୨: ଛୋଟ ପିଲାଙ୍କୁ ଦୁଇଚକିଆ ଗାଡ଼ିରେ ବସାଇ ଯାତ୍ରା କରୁଥିଲେ କଡ଼ା ସଡ଼କ ନିୟମର ପାଳନ କରିବାକୁ ପଡ଼ିବ । ପିଲାଙ୍କ ପାଇଁ ସୁରକ୍ଷାକୁ ମଜଭୁତ କରିବା ନିମନ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଆଜି ଅନେକ ନୂଆ ନିୟମ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ବାଇକ୍‌ରେ ଯାଉଥିବା ୪ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ କ୍ରାସ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ଏହାସହିତ ସେମାନଙ୍କ ସୁରକ୍ଷା ଲାଗି ସେଫ୍ଟି ହାର୍ଣ୍ଣେସ ବେଲ୍‌ଟର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମିରୁ ଯେପରି ଅଧିକ ନ ରୁହେ ସେଥିପ୍ରତି ଚାଳକଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ମନ୍ତ୍ରାଳୟ ଅନୁସାରେ, ଯଦି ୪ ବର୍ଷରୁ କମ୍‌ ବୟସ୍କ ଜଣେ ପିଲା ଦୁଇଚକିଆ ଯାନରେ ଯାଉଛି ତେବେ କ୍ରାସ ହେଲ୍‌ମେଟ୍‌ ପିନ୍ଧିବା ନିତାନ୍ତ ଜରୁରୀ । ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନୂଆ ନିୟମକୁ ୨୦୨୩ ଫେବ୍ରୁଆରୀ ୧୫ରୁ ଲାଗୁ କରାଯିବ । ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାସହିତ ୩ ମାସ ପାଇଁ ଚାଳକଙ୍କ ଲାଇସେନ୍ସକୁ ବାତିଲ କରି ଦିଆଯିବ । ଅନେକ ସମୟରେ ଦେଖାଯାଏ, ଲୋକମାନେ ପିଲାମାନଙ୍କ ସୁରକ୍ଷାକୁ ଏଡାଇ ସେମାନଙ୍କୁ ମୋଟରସାଇକେଲ ଏବଂ ସ୍କୁଟରରେ ବସାଇ ବେପରୁଆ ଭାବେ ଯାତ୍ରା କରିଥାନ୍ତି । ସୋସିଆଲ ମିଡିଆରେ ଏଭଳି ଅନେକ ଚିତ୍ର ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ଗୋଟିଏ ବାଇକ୍‌ରେ ୫ରୁ ଅଧିକ ପିଲା ବସିଥିବାର ଦୃଶ୍ୟ ବିଚଳିତ କରେ । ପିଲାଙ୍କ ସୁରକ୍ଷା ପ୍ରତି ହେଉଥିବା ଅବହେଳାକୁ ଦେଖି ପରିବହନ ମନ୍ତ୍ରାଳୟ ନୂଆ ନିୟମ ପ୍ରସ୍ତୁତ କରିଛି । କ୍ରାସ ହେଲ୍‌ମେଟ୍‌ ହେଉଛି ଉକ୍ତ ହେଲ୍‌ମେଟ୍‌, ଯାହାଦ୍ୱାରା ମୁଣ୍ଡ ସମ୍ପୂର୍ଣ୍ଣ ରୂପେ କଭର୍‌ ହୋଇଥାଏ । ଏହି ନୂଆ ନିୟମ ଆସିବା ପରେ ଭାରତ ଉକ୍ତ ବଛା ବଛା ଦେଶଗୁଡ଼ିକ ମଧ୍ୟରେ ସାମିଲ ହେବ, ଯେଉଁଠାରେ ବୟସ ହିସାବରେ ସଡ଼କ ସୁରକ୍ଷା ନିୟମ ରହିଛି ଏବଂ ଛୋଟ ପିଲାଙ୍କ ପାଇଁ ବି ସୁରକ୍ଷା ମାନଦଣ୍ଡ ଅଛି । ନୂଆ ନିୟମ ଅନୁସାରେ ଯଦି ପିଲା ବାଇକ୍‌ ଚଳାଉଥିବା ବ୍ୟକ୍ତିଙ୍କ ପଛରେ ବସିଛି ତେବେ ତା’ ପାଇଁ ସୁରକ୍ଷାର ପର୍ଯ୍ୟାପ୍ତ ବ୍ୟବସ୍ଥା ଜରୁରୀ । ପିଲାପାଇଁ ସେଫ୍ଟି ହାର୍ଣ୍ଣେସ ରହିବା ଦରକାର, ଯାହାଦ୍ୱାରା ସେ ଗାଡ଼ିରୁ ଗଳିପଡ଼ିବ ନାହିଁ । ସେଫ୍ଟି ହାର୍ଣ୍ଣେସ ପିଲାକୁ ଚାଳକ ସହ ବାନ୍ଧି ରଖିଥାଏ ଏବଂ ଏହା ୩୦ କିଲୋ ପର୍ଯ୍ୟନ୍ତ ଓଜନକୁ ସମ୍ଭାଳିପାରେ । ଆଉ ନିୟମ ଅନୁସାରେ ଯଦି ଦୁଇଚକିଆ ଗାଡିରେ ୪ ବର୍ଷରୁ କମ୍‌ ପିଲାଟିଏ ବସିଛି ତେବେ ଘଣ୍ଟା ପ୍ରତି ଏହାର ସ୍ପିଡ୍‌ ୪୦ କିମିରୁ ଅଧିକ ହେବ ନାହିଁ ।

Leave A Reply

Your email address will not be published.