ପୁଣି ପୁଟ୍ଟିନ୍‌ଙ୍କ ସହ କଥା​‌ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୦୭/୦୩: ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି । ବିଶ୍ବର ଅନେକ ବଡ ବଡ ନେତା ଯୁଦ୍ଧ ଶେଷ କରିବାକୁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରଖିଛନ୍ତି । କୂଟନୈତିକ ସ୍ତରରେ ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଏହାରି ମଧ୍ୟରେ ଭାରତ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍‌ ସଙ୍କଟକୁ ନେଇ ପୁଣି ଥରେ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି । ମୋଦି ଏବଂ ପୁଟ୍ଟିନ୍‌ଙ୍କ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆଲୋଚନା ହୋଇଛି । ୫୦ ମିନିଟ୍‌ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଆଲୋଚନା ବେଳେ ମୋଦି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ପୁଟ୍ଟିନ୍‌ ସିଧାସଳଖ ଭାବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲିମିଡିର୍‌ ଜେଲେଂସ୍କିଙ୍କ ସହ କଥା ହେବାକୁ ପ୍ରସ୍ତାବ ଦେଇଛନ୍ତି ମୋଦି । ୫୦ ମିନିଟ୍‌ ଧରି ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ଏହି ଆଲୋଚନା ବେଶ୍‌ ଗୁରୁତ୍ବ ବହନ କରୁଛି ବୋଲି ଚର୍ଚ୍ଚା ହେଉଛି । କେବଳ କୂଟନୈତିକ ସ୍ତରରେ ଆଲୋଚନା ନୁହେଁ ବରଂ ୟୁକ୍ରେନ୍‌ରେ ଫସିଥିବା ଆଉ କିଛି ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଦିଗରେ ମଧ୍ୟ ପୁଟ୍ଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଋଷ ସେନା ଦ୍ବାରା ଯୁଦ୍ଧ ବିରତି ଘୋଷଣା କରାଯାଇଥିବାରୁ ପୁଟ୍ଟିନ୍‌ଙ୍କୁ ପ୍ରଶଂସା କରିଛନ୍ତି ମୋଦି । ସୋମବାର ସକାଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେଂସ୍କିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ୩୫ ମିନିଟ୍‌ ଧରି ଜେଲେଂସ୍କି ଏବଂ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କ ୟୁକ୍ରେନ୍‌ରୁ ସୁରକ୍ଷିତ ଭାବେ ଛଡାଯାଇଥିବାରୁ ଜେଲେଂସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି ।

Leave A Reply

Your email address will not be published.