ଯୁଦ୍ଧ ବନ୍ଦ ପାଇଁ ୩ ସର୍ତ୍ତ ରଖିଲେ ପୁଟିନ

ମସ୍କୋ,୦୮/୦୩: ରୁଷ-ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଥିଲା ବେଳେ ରୁଷ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ସମ୍ମୁଖରେ ୩ଟି ସର୍ତ୍ତ ରଖିଛି । ସେଥିରେ କୁହାଯାଇଛି କି ପ୍ରଥମେ ୟୁକ୍ରେନ ତାର ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ସହିତ ନିରପେକ୍ଷତା ବଜାୟ ରଖିବା ଲାଗି ସମ୍ବିଧାନରେ ପରିବର୍ତ୍ତନ କରୁ । ଯାହାଫଳରେ ୟୁକ୍ରେନ ନାଟୋ କିମ୍ବା ଅନ୍ୟ କୌଣସି ସଙ୍ଗଠନରେ ସାମିଲ ହୋଇପାରିବ ନାହିଁ । ଦ୍ୱିତୀୟରେ କ୍ରିମିଆକୁ ରୁଷ ଅଞ୍ଚଳ ଭାବେ ଗ୍ରହଣ କରୁ ଏବଂ ତୃତୀୟରେ ଡୋନସ୍କ ଓ ଲୁହାଂସ୍କକୁ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଉ।ଏଥିସହିତ ରୁଷ ସୋମବାର ନିଜ ଆଡୁ ୪ ସହର ପାଇଁ ଯୁଦ୍ଧବିରତି ଘୋଷଣା କରିଛି । ଏହି ସହର ମଧ୍ୟରେ ରହିଛି ରାଜଧାନୀ କିଏଭ୍‌ ସମେତ ଖାରକିଭ୍‌, ମାରିଉପଲ ଓ ସୁମି । ମସ୍କୋ ସମୟ ସକାଳ ୧୦ଟା (ଭାରତୀୟ ସମୟ ଦିନ ୧୨ଟା ୩୦)ରୁ ଏହି ଯୁଦ୍ଧବିରତି ଲାଗୁ ହୋଇଛି । ଏହା ୧୧ ଘଣ୍ଟା ଧରି ଜାରି ରହିବ । ଏହି ସମୟରେ ଏସବୁ ସହରରେ ଫସିଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମାନବୀୟ କରିଡର ପ୍ରତିଷ୍ଠା ହେବ ।ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବ୍ୟକ୍ତିଗତ ଅନୁରୋଧ ରକ୍ଷା କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଏସବୁ କରିଡର କେବଳ ରୁଷ ଓ ବେଲାରୁଷ ସୀମା ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ୟୁକ୍ରେନ କହିଛି । କାରଣ ଏସବୁ ସହରରୁ ବାହାରୁଥିବା ଲୋକମାନେ କେବଳ ରୁଷ ସୀମା କିମ୍ବା ବେଲାରୁଷ ସୀମାକୁ ଯାଇପାରିବେ ।

Leave A Reply

Your email address will not be published.