ବଢୁଛି ତାତି, ୨ ଦିନ ଆକାଶରୁ ବର୍ଷିବ ନିଆଁ 

ଭୁବନେଶ୍ୱର ୧୪/୦୩: ରାଜ୍ୟ ବଢୁଛି ତାତି । ଟିଟିଲାଗଡ଼ରେ ରବିବାର ୩୮ ଡିଗ୍ରୀ ଛୁଇଁଛି । ଆଗକୁ ଆହୁରି ବଢିବ । ୩ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା । ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟର ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଏହି ଦୁଇଦିନ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୬ ତାରିଖରେ ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସେହିପରି ୧୭ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବ ବୋଲି କେନ୍ଦ୍ର ଆକଳନ କରିଛି। ୟେଲୋ ୱାର୍ଣ୍ଣିଂ ବି ଜାରି କରିଛି । ଯାହାକୁ ନେଇ ଉପରୋକ୍ତ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ (ଏସ୍‌ଆର୍‌ସି) ।ଏହି ଖବର ଲୋକଙ୍କ ମଧ୍ୟରେ ପ୍ରସାର କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । ସେହିପରି ବଲାଙ୍ଗୀରର ୩୭.୮ ଡିଗ୍ରୀ ସେଲସିୟସ୍‌, ଝାରସୁଗୁଡ଼ାରେ ୩୭.୩ ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ ୩୭.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା । ସେହିପର ସମ୍ବଲପୁରରେ ୩୬.୯ଡିଗ୍ରୀ ସେଲସିୟସ୍‌ ଓ ରାଜଧାନୀ ଭୁବନେଶ୍ୱରରେ ୩୬.୬ଡିଗ୍ରୀ ସେଲସିୟସ୍‌ ସମେତ ରାଜ୍ୟ ୧୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା । ଦୁଇ ଦିନ ପରେ ପାଗ ଆହୁରି ବଦଳିବ । କେତେକ ଜିଲ୍ଲାରେ ଦିନର ତାପମାତ୍ର ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିିଛନ୍ତି । ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଦିନବେଳା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

Leave A Reply

Your email address will not be published.