ଚଳନ୍ତା ବସରେ ନିଆଁ

ନୂଆଦିଲ୍ଲୀ ୧୭/୦୩:   ମଧ୍ୟପ୍ରଦେଶର ବୈତୁଲରେ ଏକ ଚଳନ୍ତା ବସ୍ତରେ ନିଆଁ ଲାଗିଯାଇଛି । ତେବେ ସୌଭାଗ୍ୟକ୍ରମେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ବସରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ଭୋପାଳରୁ ହାଇଦ୍ରାବାଦ ଯାଉଥିଲା ବୋଲି ସୂଚନା ମିଳିଛି  । ରିପୋର୍ଟ ଅନୁସାରେ, ଏକ ଭଲଭୋ ବସ୍ ୩୫ରୁ ୪୦ ଯାତ୍ରୀଙ୍କୁ ନେଇ ଭୋପାଳରୁ ହାଇଦ୍ରାବାଦ ଯାଉଥିଲା । ତେବେ ଜାତୀୟ ରାଜପଥ ୬୯ରେ ନୀମପାନି ଗ୍ରାମ ପାଖରେ ବସରେ ନିଆଁ ଲାଗିଯାଇଥିଲା । ରାତି ପ୍ରାୟ ୯.୩୦ ମିନିଟରେ ଏହି ଅଘଟଣ ଘଟିଥିଲା । ବସରୁ ଧୂଆଁ ବାହାରିବା ପରେ ସବୁ ଯାତ୍ରୀ ପାଟି କରିଥିଲେ । ପାଟି ଶୁଣି ଡ୍ରାଇଭର ବସ୍ ରୋକିବା ସହ ସବୁ ଯାତ୍ରୀଙ୍କୁ ତଳକୁ ଓହ୍ଲାଇଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଁଚିବା ପୂର୍ବରୁ ବସଟି ଜଳି ଯାଇଥିଲା । କୁହାଯାଉଛି ଯେ, ଚକା ଫାଟି ଯିବାରୁ ବସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି । ବସର ଡ୍ରାଇଭର ଓ କଣ୍ଡକ୍ଟର ହିଁ ସବୁ ଯାତ୍ରୀଙ୍କୁ ବାହାର କରିଥିବା ଯାତ୍ରୀମାନେ କହିଛନ୍ତି ।

Leave A Reply

Your email address will not be published.