ସାରା ରାଜ୍ୟରେ ଅଗ୍ନିବର୍ଷା

ଭୁବନେଶ୍ୱର ୧୭/୦୩: ନିର୍ଧୁମ ଖରା । ମୁଣ୍ଡ ଝାଇଁ କରିଦେଉଛି । ଚଳିତବର୍ଷ ପ୍ରଥମ କରି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ୪୦ ଡିଗ୍ରୀ ଡେଇଁଛି । ବଲାଙ୍ଗିର, ଅନୁଗୁଳ, ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଦେଇଛି । ପାଣିପାଗ ପୂର୍ବାନୁମାନ କହୁଛି, ଆଉ ଦୁଇଦିନ ପ୍ରଚଣ୍ଡ ତାତି ଛଟପଟ କରିବ । ଗୁରୁବାର ୯ଟି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଂଶୁଘାତ ମୁକାବିଲା ନେଇ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ । ଅସହ୍ୟ ତାତି ପ୍ରକୋପ ଭିତରେ ଓଡ଼ିଶାକୁ ଆଶ୍ୱସ୍ତି ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)ର ତାଜା ପୂର୍ବାନୁମାନ । ଏଥିରେ ଆଇଏମ୍‌ଡି ସ୍ପଷ୍ଟ କରିଛି, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ବାତ୍ୟା ବାଂଲାଦେଶ ଉପକୂଳକୁ ମୁହାଁଇବ । ଏହାର ସାମାନ୍ୟତମ ପ୍ରଭାବ ବି ଓଡ଼ିଶାରେ ପଡ଼ିବ ନାହିଁ । ଆଇଏମ୍‌ଡି କହିଛି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ପୂର୍ବ-ଉତ୍ତର ପୂର୍ବରେ ଗତି କରୁଛି । ୧୯ ତାରିଖ ସକାଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ । ତା’ପରେ ମୁହାଁଇବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ । ୨୦ ତାରିଖ ସକାଳେ ଘନୀଭୂତ ହୋଇ ଅବପାତ (ଡିପ୍ରେସନ) ରୂପ ନେବ । ୨୧ ତାରିଖବେଳକୁ ଏହା ବାତ୍ୟାରେ ପରିଣତ ହେବ । ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଗତି କରିବ । ୨୩ ତାରିଖ ସକାଳକୁ ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ମିଆଁମାର ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବ ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ବର୍ଷା, ପବନ କିମ୍ବା ପାଗ ବଦଳିବା ସମ୍ଭାବନା ମଧ୍ୟ ନାହିଁ ଓଡ଼ିଶାରେ ।

Leave A Reply

Your email address will not be published.