ଜେଲେନସ୍କିଙ୍କ ଉଦବୋଧନ ପରେ ସହାୟତାର ହାତ ବଢାଇଲା ଆମେରିକା

ନୂଆଦିଲ୍ଲୀ, ୧୭|୦୩:  ୟୁକ୍ରେନକୁ ଅଧିକରୁ ଅଧିକ ସହାୟତା ଯୋଗାଇବ ଆମେରିକା । ପ୍ରଦାନ କରିବ ୮୦ କୋଟି ଡଲାର । ଏପରିକି ଯୁଦ୍ଧ ବିମାନ ମଧ୍ୟ ଯୋଗାଇବାକୁ ରାଜି ହୋଇଛି । ଆମେରିକୀୟ କଂଗ୍ରେସରେ ଜେଲେନସ୍କିଙ୍କ ଉଦବୋଧନ ପରେ ୟୁଏସ ସହାୟତାର ହାତ ବଢାଇଛି । ସୂଚନାନୁସାରେ,  ରୁଷ୍ ନିଜର ସୁରକ୍ଷା କାରଣ ଦର୍ଶାଇ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷ୍ ବିରୋଧରେ ବିଶ୍ବବ୍ୟାପୀ ସମର୍ଥନ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜେଲେନସ୍କି ଆମେରିକା କଂଗ୍ରେସରେ ଉଦବୋଧନ ଦେଇ ରୁଷ୍ର ଦମନରୁ ରକ୍ଷା କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ‘ରୁଷ୍ ଆମର ମୂଲ୍ୟବୋଧ, ସଂସ୍କୃତି ଏବଂ ବଞ୍ଚିବାର ଅଧିକାର ଉପରେ ଆକ୍ରମଣ କରିଛି ଏବଂ ଆମର ଜାତୀୟ ସ୍ବାର୍ଥକୁ ଏହା ଆଘାତ କରିଛି। ଆମେରିକୀୟମାନେ ନିଜର ସୁରକ୍ଷା ଓ ସମ୍ମାନ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ଆମେ ମଧ୍ୟ ସେଭଳି ସ୍ବପ୍ନକୁ ସାକାର କରିବାକୁ ପ୍ରୟାସରତ ଥିବା ବେଳେ ଆମ ଉପରେ ଆକ୍ରମଣ ହୋଇଛି’ ବୋଲି ଜେଲେନସ୍କି କହିଥିଲେ। ରାଷ୍ଟ୍ରପତି ଜେଲେନ୍ ସ୍କି ଆମେରିକା କଂଗ୍ରେସରେ ଭାବବିହ୍ବଳ ଉଦ୍ ବୋଧନ ଦେବା ପରେ ହ୍ବାଇଟ ହାଉସ୍ ଏଥିପ୍ରତି ସହୃଦୟତା ପ୍ରକାଶ କରିଛି। ଜେଲେନସ୍କିଙ୍କ ଉଦ୍ ବୋଧନର କିଛି ଘଣ୍ଟା ପରେ ୟୁକ୍ରେନକୁ ୮୦ କୋଟି ଡଲାର ସୁରକ୍ଷା ସହାୟତା ଯୋଗାଇ ଦେବାକୁ ଆମେରିକା ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବେ। ରୁଷର ଆକ୍ରମଣରୁ ରକ୍ଷା ପାଇଁ ୟୁକ୍ରେନକୁ ନୋ-ଫ୍ଲାଇଙ୍ଗ୍ ଜୋନ ଘୋଷଣା କରିବାକୁ ଜେଲେନସ୍କି ଆମେରିକାକୁ ନିବେଦନ କରିଥିଲେ। ଅନ୍ୟଥା ୟୁକ୍ରେନକୁ ଯୁଦ୍ଧ ବିମାନ ଯୋଗାଇ ଦେବାକୁ କହିଥିଲେ। ଜେଲେନସ୍କିଙ୍କ ନିବେଦନ ଆଧାରରେ ଆମେରିକା ୮୦ କୋଟି ଡଲାର ସୁରକ୍ଷା ସହାୟତା ଯୋଗାଇ ଦେବାକୁ କହିଛି। ଏହା ସହିତ ୟୁକ୍ରେନକୁ ଦୂରଗାମୀ ଯୁଦ୍ଧବିମାନ ବିଧ୍ବଂସୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା କହିଛି। ବାଇଡେନ ଅଭିଯୋଗ କରିଛନ୍ତି ଯେ ରୁଷ୍ ସୈନିକ ମାରିଉପୋଲ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କୁ ପଣବନ୍ଦୀ ରଖିଛନ୍ତି।

Leave A Reply

Your email address will not be published.