କର୍ଣ୍ଣାଟକ ହିଜାବ ମାମଲାର ରାୟ ଶୁଣାଇଥିବା ବିଚାରପତିଙ୍କୁ ହତ୍ୟା ଧମକ

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ମାମଲାରେ ରାୟ ଶୁଣାଇଥିବା ବିଚାରପତିଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ରେ ଭିଡିଓ ମେସେଜ୍ ପଠାଇ ହତ୍ୟା ଧମକ ଦେଲେ ଦୁର୍ବୃତ୍ତ। ଏନେଇ ବିଚାରପତି ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ ସତର୍କତା ପୂର୍ବରୁ ମାମଲା ତଦନ୍ତ ଆରମ୍ଭ କରିଦେଇଛି। ହିଜାବ ବିବାଦ ନେଇ ମାର୍ଚ୍ଚ ୧୫ ତାରିଖରେ ହାଇକୋର୍ଟ ବିଚାରପତି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖି ରାୟ ଶୁଣାଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପରେ ଏହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆବେଦକ। ହେଲେ ଏଥିପାଇଁ ମିଳିଥିବା ହତ୍ୟା ଧମକ ଘଟଣାରେ ଅଡ୍‌ଭୋକେଟ ଉମାପତି ଶନିବାର ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପାଖରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ହ୍ୱାଟ୍ସଆପ୍‌ରେ ଭିଡିଓ ମେସେଜ୍ କରାଯାଇ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି। ଭିଡିଓ ମେସେଜ୍‌ରେ ଜଣେ ବ୍ୟକ୍ତି ଖୋଲାଖୋଲି ଭାବେ ବିଚାରପତି ଋତୁରାଜ ଅବସ୍ଥୀଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଛି। ଧମକ ଦେଉଥିବା ସମୟରେ ସେ ଝାଡ଼ଖଣ୍ଡର ବିଚାରପତିଙ୍କ ହତ୍ୟା ଘଟଣାର ଉଦାହରଣ ବି ଦେଉଛି। ତା ସହିତ ବିଚାରପତି ବୁଲିବାକୁ ଯାଆନ୍ତି ବୋଲି ସମସ୍ତେ ଜାଣିଥିବା ସେ କହୁଛି। ଭିଡିଓରେ ଦୁର୍ବୃତ୍ତ ହିଜାବ ରାୟକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡିଓଟି ବୋଧହୁଏ ତାମିଲନାଡୁ ମଦୁରାଇରେ ଶୁଟ କରାଯାଇଛି ବୋଲି ଅଭିଯୋଗ କର୍ତ୍ତା ଅଡ୍‌ଭୋକେଟ ଉମାପତି କହିଛନ୍ତି। ସୂଚନା ଥାଉଖକି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅବସ୍ଥୀ, ଜଷ୍ଟିସ୍ କୃଷ୍ଣା ଦିକ୍ଷୀତ ଓ କାଜୀ ଏମ୍ ଜୈବୁନ୍ନିସା ଏହି ତିନିଜଣିଆ ଖଣ୍ଡପୀଠ ହିଜାବ  ବିବାଦର ରାୟ ଶୁଣାଇଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକରେ  ତାମିଲନାଡୁ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ରହମତୁଲ୍ଲାହ ନାମକ ଅଭିଯୁକ୍ତକୁ ପୁଲିସ ତିରୁନଲଭେଲିରୁ ଗିରଫ କରିଥିବା ବେଳେ ୪୪ ବର୍ଷୀୟ ମହମ୍ମଦ ଉସ୍ମାନୀକୁ ତଞ୍ଜବୁରରୁ ଗିରଫ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.