ବୋମା ମାଡରେ ପୁଣି ଥରିଲା ବ୍ରହ୍ମଗିରି

ପୁଣି ତୁହାକୁ ତୁହା ବୋମାମାଡ଼ । ହୋଲିରେ ବୋମା ଓ ଗୁଳି ମାଡ଼ରେ ଅଶାନ୍ତ ହୋଇଉଠିଛି ବ୍ରହ୍ମଗିରି । ପୂର୍ବ ବିବାଦ ଓ ରାଜନୈତିକ ଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଦଣ୍ଡୁଆସିପଡ଼ା ଗାଁରେ ଆଜି ସନ୍ଧ୍ୟାରେ ଘନ ଘନ ବୋମା ଓ ଗୁଳି ମାଡ଼ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୪୦ରୁ ଅଧିକ ବୋମା ମାଡ଼ ଓ ୧୦ ରାଉଣ୍ଡରୁ ଅଧିକ ଗୁଳି ଫୁଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୋଟିଏ ଗୋଷ୍ଠୀର ଦୁଇ ଯୁବକ ପାଖ ଦୋକାନକୁ ଚିକେନ କିଣି ଫେରିବା ବେଳେ ଅନ୍ୟଗୋଷ୍ଠୀର ଲୋକେ ବୋମା ମାଡ କରିଥିଲେ । ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇଁ ପୁରୀ ସଦର ଏସଡିପିଓ ପୁଲିସ ଫୋର୍ସ ସହ ଗାଁରେ ପହଂଚି ତଦନ୍ତ ଚଲାଇଛନ୍ତି । ସେପଟେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଥିବା ସୂଚନା ମିଳିଛି । ପୂର୍ବରୁ ଫେବୃୟାରୀ ୧୦ ତାରିଖରେ ପଂଚାୟତ ନିର୍ବାଚନକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇ ୮ ଜଣ ଆହତ ହୋଇଥିଲେ । ଏହି ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫେବୃୟାରୀ ୧୮ରେ ନିର୍ବାଚନ ସରିବା ପରେ ୬ଜଣ ଜାମିନ ପାଇ ଜେଲରୁ ମୁକୁଳିଥିଲେ । ହେଲେ ଫେବୃୟାରୀ ୧୯ରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପୁଲିସ ଗାଁରେ ଚଢାଉ କରି ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.