ପୌର ନିର୍ବାଚନ ପୂର୍ବରୁ ଅବକାରୀ ଚଢ଼ାଉ

ଭଦ୍ରକ ୨୨/୦୩: ପୌର ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଚଢ଼ାଉ । ରନ୍ଧା ଦେଶୀ ମଦ ଓ ଆସ୍କା ୪୦ ମଦ ଜବତ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ଚଢ଼ାଉ ହୋଇଛି । ଧାମନଗର ଅବକାରୀ ଥାନା ଅନ୍ତର୍ଗତ ଜୟନଗର, ଧାମନଗର ବଜାରସାହି, ବ୍ଲକ ଛକ, ଦୋବଲ, ସୋଧ, ବାରିକପୁର ବଜାର ଓ ଅନନ୍ତପୁର ଗ୍ରାମ ରେ ଚଢ଼ାଉ ବେଳେ ୧୦୦ ଲିଟର ଦେଶୀ ରନ୍ଧା ମଦ ଏବଂ ୧୫ ଲିଟର ଆସ୍କା ଫର୍ଟି ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଚୋରା ମଦ କାରବାର କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ ବଜାରସାହି ଗ୍ରାମର ରବୀନ୍ଦ୍ର ବାରିକ ଓରଫ ବୁଲୁ , ସୋଧ ଗ୍ରାମର ବସନ୍ତ ପରିଡ଼ା ଏବଂ ଅନନ୍ତପୁର ଗ୍ରାମର ରାଜେଶ ମୁଣ୍ଡା, ମୁନା ଚାମ୍ପିଆ ମୁଣ୍ଡା ଓ ଦିନା ମୁଣ୍ଡା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି । ପୌର ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ଧାମନଗର ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି ।

Leave A Reply

Your email address will not be published.