ବିଳମ୍ବରେ ଆସିବ ଏଲଆଇସି ଆଇପିଓ

ନୂଆଦିଲ୍ଲୀ,୨୨/୦୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏହାର ପ୍ରାଥମିକ ପବ୍ଲିକ ଅଫରିଂ(ଆଇପିଓ) ସମ୍ପର୍କିତ ସଦ୍ୟତମ ଡ୍ରାଫ୍ଟ ପେପରକୁ ପୁଞ୍ଜି ବଜାର ନିୟନ୍ତ୍ରକ ସେବି ନିକଟରେ ଦାଖଲ କରାଯାଇଛି । ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଲ୍‌ଆଇସି ଡିସେମ୍ବର ତ୍ରୈମାସ ଫଳାଫଳ ଆଧାରରେ ଏହି ଡ୍ରାଫ୍ଟ ପେପର ଦାଖଲ କରିଛି । ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ଜାରି ହୋଇଥିବା ଏଭଳି ଏକ ପେପରକୁ ସେବି ମଞ୍ଜୁରୀ ପ୍ରଦାନ କରିଥିଲା । ସେହି ଅନୁସାରେ ମେ ୧୨ ପର୍ଯ୍ୟନ୍ତ ଏଲ୍‌ଆଇସି ନିକଟରେ ଆଇପିଓ ଆଣିବାର ସୁଯୋଗ ରହିଛି । ମାତ୍ର ବର୍ତ୍ତମାନର ସଦ୍ୟତମ ଡ୍ରାଫ୍ଟ ଅନୁସାରେ ୧୨ ମେ ପରେ ମଧ୍ୟ ଏଲ୍‌ଆଇସି ଆଇପିଓ ଆଣିପାରିବ । ଏହା ପୂର୍ବରୁ ୧୩ ଫେବୃଆରିରେ ଏଲ୍‌ଆଇସି ଆଇପିଓ ଲାଗି ଡ୍ରାଫ୍ଟ ପେପର ଜମା କରାଯାଇଥିଲା । ଏହି ସମୟରେ ଦେଶର ପୁଞ୍ଜି ବଜାର ଅସ୍ଥିର ହୋଇ ରହିଥିଲା । ଆଇପିଓ ଯେଭଳି ସଫଳ ହେବ ସରକାର ତାକୁ ବିଚାର କରୁଛନ୍ତି । ଏ କ୍ଷେତ୍ରରେ ସରକାର ଚାହୁଁଛନ୍ତି ଯେ, ଯେଭଳି କୌଣସି ରିସ୍କ ନ ଆସୁ । ଡିସେମ୍ବର ତ୍ରୈମାସରେ ଏଲ୍‌ଆଇସିର ଲାଭ ୨୩୪.୯ କୋଟି ଟଙ୍କାରେ ପହଞ୍ଚିଛି । କମ୍ପାନିର ଆସେଟବେସ ୪୪ ଲକ୍ଷ କୋଟି ଟଙ୍କା ରହିଛି । ୨୯ କୋଟି ପଲିସି, ୨୦୪୮ ଶାଖା କାର୍ଯ୍ୟାଳୟ, ୮ ଜୋନ କାର୍ଯ୍ୟାଳୟ, ୧୧.୪୮ ଲକ୍ଷ ଏଜେଣ୍ଟ, ୧.୨୫ ଲକ୍ଷ କର୍ମଚାରୀଙ୍କ ସହ କମ୍ପାନି ଏହାର ପରିଚାଳନା କରୁଛି । ଏଲ୍‌ଆଇସି ଆଇପିଓକୁ ନେଇ ଆର୍‌ବିଆଇ କହିଛି ଯେ, ଠିକ୍‌ ସମୟକୁ ଅପେକ୍ଷା କରିବାର ଆବଶ୍ୟକତା ରହିଛି । ଏଲ୍‌ଆଇସି ଆଇପିଓ ଆସିଲେ ଏହା ସବୁଠାରୁ ବଡ ହେବ ।

Leave A Reply

Your email address will not be published.