ୟୁରୋପର ମୁଖା ଖୋଲିଦେଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ୟୁରୋପର ମୁଖା ଖୋଲି ଦେଲେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଭାରତ ଗସ୍ତରେ ଆସିଥିବା ବ୍ରିଟେନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଭାରତ-ବ୍ରିଟେନ୍ ଷ୍ଟ୍ରାଟେଜିକ୍ ର୍ଫ୍ୟୁଚର୍ସ ଫୋରମରେ ଜୟଶଙ୍କର ୟୁରୋପର ପ୍ରକୃତ ମୁଖା ଖୋଲି ଦେଇଛନ୍ତି । କହିଛନ୍ତି ୟୁକ୍ରେନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ୟୁରୋପୀୟ ଦେଶ ଗୁଡ଼ିକ ରୁଷଠାରୁ ଅଧିକ ତେଲ ଓ ଗ୍ୟାସ୍ କିଣିଛନ୍ତି । ରୁଷରୁ କମ୍ ତେଲ ଓ ଗ୍ୟାସ୍ କିଣିବା ପାଇଁ ଗତ କିଛି ଦିନ ହେବ ଅଭିଯାନ ଚାଲିଛି । କିନ୍ତୁ ସେ ଏକ ରିପୋର୍ଟରୁ ଜାଣିବାକୁ ପାଇଛନ୍ତି ଯେ, ୟୁରୋପୀୟ ଦେଶ ଗୁଡ଼ିକ ଫେବ୍ରୁଆରୀରେ ରୁଷଠାରୁ ଯେତିକି ତେଲ ଓ ଗ୍ୟାସ୍ କିଣିଥିଲେ ମାର୍ଚ୍ଚ ମାସରେ ତାଠାରୁ ୧୫ ପ୍ରତିଶତ ଅଧିକ ତେଲ ଓ ଗ୍ୟାସ୍ କିଣିଛନ୍ତି । ଭାରତ ଏହାର ମୋଟ୍ ଅଶୋଧିତ ତେଲ ଆବଶ୍ୟକତାର ଅଧିକାଂଶ ମଧ୍ୟପ୍ରାଚ୍ୟରୁ ଏବଂ ପାଖାପାଖି ସାଢେ ୭ରୁ ୮ ପ୍ରତିଶତ ଆମେରିକାରୁ ଆଣୁଥିବା ବେଳେ ରୁଷରୁ ୧ ପ୍ରତିଶତରୁ କମ୍ ତେଲ କିଣିଥାଏ ବୋଲି ଜୟଶଙ୍କର କହିଛନ୍ତି । ୟୁକ୍ରେନ୍ ଉପରେ ରୁଷ ଫେବ୍ରୁଆରୀ ୨୪ରେ ଆକ୍ରମଣ ଆରମ୍ଭ କରିଥିଲା । ଏହା ପରେ ଆମେରିକା ସମେତ ୟୁରୋପୀୟ ଦେଶ ଗୁଡ଼ିକ ରୁଷ ବିରୋଧରେ ବିଭିନ୍ନ ପ୍ରକାର ଆର୍ଥିକ କଟକଣା ଲଗାଇଛନ୍ତି । ସେଥିରୁ ରୁଷରୁ ତେଲ ଓ ଗ୍ୟାସ୍ ନକିଣିବା କଟକଣା ମଧ୍ୟ ରହିଛି । ଭାରତ ରୁଷରୁ ତେଲ କିଣିବା ଜାରି ରଖିଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଏହା ନକରିବା ପାଇଁ ଭାରତ ଉପରେ ଚାପ ସୃଷ୍ଟି କରୁଛନ୍ତି ।

Leave A Reply

Your email address will not be published.