ଜଳୁଛି ଶ୍ରୀଲଙ୍କା, ଜରୁରୀକାଳିନ ସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୦୨|୦୪: ସ୍ୱାଧିନତା ପରେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏହାମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ଦେଶରେ ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି । ଦେଶର ସୁରକ୍ଷା ଓ ଆବଶ୍ୟକ ସେବାକୁ ନଜରରେ ରଖି ରାଷ୍ଟ୍ରପତି ଏପରି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାରଠୁ ଏହି ଜରୁରୀକାଳିନ ସ୍ଥିତି ଲାଗୁ କରାଯାଇଛି । ରାଷ୍ଟ୍ରପତି ଏପରି ନିଷ୍ପତ୍ତି ସେହି ସମୟରେ ନେଇଛନ୍ତି ଯେତେବେଳେ ତାଙ୍କ ସରକାର ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏବେ ଶ୍ରୀଲଙ୍କା ଦେବାଳିଆ ସ୍ଥିତିରେ ପହଁଚିଛି । ରାଷ୍ଟ୍ରପତିଙ୍କ ବିରୋଧରେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି । ଗୁରୁବାର ତାଙ୍କ ବାସଭବନ ବାହାରେ ହିଁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପରେ ପୋଲିସ ଉତ୍ତ୍ୟକ୍ତଙ୍କ ଉପରେ ଲାଠି ଚାଳନା କରିବା ସହ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏବେ ବିରୋଧ ପ୍ରଦର୍ଶନ କେବଳ ରାଷ୍ଟ୍ରପତି ଭବନ ନୁହେଁ, ଦେଶର ଅନ୍ୟ ପ୍ରାନ୍ତକୁ ବ୍ୟାପିଛି । ପୋଲିସ ସହ ଜନତା ମୁହାଁମୁହିଁ ହେଉଛନ୍ତି । ଶ୍ରୀଲଙ୍କା ଏକସଙ୍ଗେ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ବସ ତଥା ଅନ୍ୟ ଯାନ ବାହାନ ପାଇଁ ଦେଶରେ ଡିଜେଲର ଅଭାବ ପରିଲକ୍ଷିତ ହୋଇଛି । ପରିବହନ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଦେଶର ଛାତ୍ରଛାତ୍ରୀମାନେ ମଧ୍ୟ ନାନା ସଙ୍କଟ ଦେଇ ଗତି କରୁଛନ୍ତି । ସେମାନଙ୍କ ପାଇଁ ଖାତା  ଓ କାଗଜ ମିଳୁନାହିଁ । ଏହି ସବୁ ଅସୁବିଧାର ସାମ୍ନା କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ନିଜ ହକ୍ ପାଇଁ ସେମାନେ ପ୍ରଦର୍ଶନ କରୁଛନ୍ତି । କିଛି ସ୍ଥାନରେ ଜନତା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ ଆଉ କିଛି ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

Leave A Reply

Your email address will not be published.